
ରାଞ୍ଚି,୧।୪: ଝାଡ଼ଖଣ୍ଡର ବରହେଟରେ ଦୁଇଟି ମାଲବାହୀ ଟ୍ରେନ ମଧ୍ୟରେ ଧକ୍କା ହେବା ଯୋଗୁଁ ଏକ ବଡ଼ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚାରି ଜଣ ଆହତ ହୋଇଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ଯେତେବେଳେ ଫରକ୍କାରୁ ଲାଲମାଟିଆ ଯାଉଥିବା ମାଲବାହୀ ଟ୍ରେନ ବରହେଟରେ ଠିଆ ହୋଇଥିବା ମାଲବାହୀ ଟ୍ରେନ ସହିତ ଧକ୍କା ହୋଇଥିଲା, ସେତେବେଳେ ଧକ୍କା ଖୁବ ଜୋର୍ ଥିଲା। ଉଭୟ ମାଲବାହୀ ଟ୍ରେନର ଇଞ୍ଜିନଗୁଡ଼ିକ ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଯାଇଥିଲା ଏବଂ ନିଆଁ ଲାଗିଯାଇଥିଲା।
ସୂଚନା ମିଳିବା ମାତ୍ରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇ ଦେଇଥିଲା। ଗୋଟିଏ ମୃତଦେହକୁ ହସ୍ପିଟାଲ ପଠାଯାଇଥିବା ବେଳେ ଖବର ଲେଖାଯିବା ପର୍ଯ୍ୟନ୍ତ ଅନ୍ୟ ମୃତଦେହ ମାଲବାହୀ ଟ୍ରେନ ଭିତରେ ଫସି ରହିଛି।
ଘଟଣାଟି ମଙ୍ଗଳବାର ଭୋର ପ୍ରାୟ ସାଢ଼େ ୩ଟାରେ ଘଟିଥିଲା। ଦୁର୍ଘଟଣା ପରେ, ମାଲବାହୀ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି ଏବଂ ଲାଇନକୁ ବନ୍ଦ କରିଦିଆଯାଇଛି। ଏହାକୁ ସଜାଡ଼ିବା ପାଇଁ ୨ ରୁ ୩ ଦିନ ସମୟ ଲାଗିପାରେ ବୋଲି କୁହାଯାଉଛି।
ବର୍ତ୍ତମାନ, ରେଳ ଲାଇନରେ କାର୍ଯ୍ୟ ବନ୍ଦ କରାଯାଇଛି। ରେଳ ବିଭାଗ ଦୁର୍ଘଟଣାର ତଦନ୍ତ କରୁଛି। ଦୁଇଟି ଟ୍ରେନ ଗୋଟିଏ ଟ୍ରାକରେ କିପରି ଆସିଲା ତାହା ଜାଣିବା ପାଇଁ ପ୍ରୟାସ କରାଯାଉଛି? ଦୁର୍ଘଟଣା ପରେ ଘଟଣାସ୍ଥଳରେ ଏକ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ରେଳ କର୍ମଚାରୀଙ୍କ ସହ ସ୍ଥାନୀୟ ଲୋକମାନେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରିଥିଲେ।