ନେପାଳରେ ଶାସକ ମେଣ୍ଟକୁ ସଂଖ୍ୟାଗରିଷ୍ଠତା

କାଠମାଣ୍ଡୁ,୨୮ା୧୧: ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୁର ଦେଉବାଙ୍କ ନେତୃତ୍ୱାଧୀନ ନେପାଳୀ କଂଗ୍ରେସକୁ ରବିବାର ସଂଖ୍ୟାଗରିଷ୍ଠତା ମିଳିଛି। ସଦ୍ୟ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ଶାସକ ଦଳ ୫୩ ଆସନରେ ବିଜୟୀ ହୋଇ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହୋଇଛି। ଫଳରେ ପଡ଼ୋଶୀ ଦେଶରେ ଲାଗିରହିଥିବା ରାଜନୈତିକ ସଙ୍କଟ ଦୂର ହେବା ନେଇ ଆଶା ଉଜ୍ଜିବୀତ ହୋଇଛି। ନେପାଳ ପାର୍ଲାମେଣ୍ଟ ପ୍ରତିନିଧି ସଭା ଏବଂ ୭ ପ୍ରାଦେଶିକ ବିଧାନସଭା ପାଇଁ ନଭେମ୍ବର ୨୦ରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସୋମବାର ଗଣତି ଆରମ୍ଭ ହୋଇଥିଲା, ଯାହାର ଫଳାଫଳ ରବିବାର ଆସିଛି।

ନେପାଳୀ କଂଗ୍ରେସ ୫୩ ଆସନ ଦଖଲ କରି ସବୁଠୁ ବଡ଼ ଦଳ ଭାବେ ଉଭା ହୋଇଥିବାବେଳେ ବିରୋଧୀ ନେପାଳ (ୟୁନିଫାଏଡ୍‌ ମାର୍କ୍ସବାଦୀ-ଲେନିନବାଦୀ) (ସିପିଏନ୍‌-ୟୁଏମ୍‌ଏଲ୍‌)କୁ ୪୨ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଅନ୍ୟପକ୍ଷେ ସିପିଏନ୍‌-ମାଓଇଷ୍ଟ୍‌ ୧୭ ଆସନ ଦଖଲ କରି ତୃତୀୟ ବୃହତ୍‌ ଦଳର ମାନ୍ୟତା ଲାଭ କରିଛି। ସିପିଏନ୍‌-ୟୁନିଫାଏଡ୍‌ ସୋସିଆଲିଷ୍ଟକୁ ୧୦ ଆସନ ମିଳିଛି। ନବଗଠିତ ରାଷ୍ଟ୍ରୀୟ ସ୍ବତନ୍ତ୍ର ପାର୍ଟି ଏବଂ ହିନ୍ଦୁ ସପକ୍ଷବାଦୀ ରାଷ୍ଟ୍ରୀୟ ପ୍ରଜାତନ୍ତ୍ର ପାର୍ଟିର ପ୍ରାର୍ଥୀ ୭ଟି ଲେଖାଏ ଆସନ ଦଖଲ କରିଛନ୍ତି। ସ୍ବାଧୀନ ଓ ଅନ୍ୟ ଛୋଟ ଦଳଗୁଡ଼ିକ ୨୧ ଆସନରେ ବିଜୟୀ ହୋଇଛନ୍ତି। ୨୭୫ ଆସନ ବିଶିଷ୍ଟ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ର ୧୬୫ ଆସନରେ ପ୍ରତ୍ୟକ୍ଷ ନିର୍ବାଚନ ହୋଇଥିଲା। ସେଥିରୁ ୮ ଆସନର ଫଳାଫଳକୁ ଅପେକ୍ଷା କରାଯାଇଛି। ସରକାର ଗଠନ ପାଇଁ ମ୍ୟାଜିକ୍‌ ନମ୍ବର ୧୩୮ ହୋଇଥିବାବେଳେ ୫ ଦଳକୁ ନେଇ ଗଠିତ ଶାସକ ମେଣ୍ଟକୁ ୮୫ ଆସନରେ ସଫଳତା ମିଳିଛି। ଏଥିସହ ଶାସକ ମେଣ୍ଟ ପୁଣି ଥରେ ସରକାର ଗଠନ ଦିଗରେ ଅଗ୍ରସର ହୋଇଛି। ପ୍ରଧାନମନ୍ତ୍ରୀ ଦେଉବାଙ୍କ ସମେତ ୩ ପୂର୍ବତନ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି, ପୁଷ୍ପକମଳ ଦହଲ ପ୍ରଚଣ୍ଡ ଓ ମାଧବ ନେପାଳ ମଧ୍ୟ ପାର୍ଲାମେଣ୍ଟକୁ ନିର୍ବାଚିତ ହୋଇଛନ୍ତି।

Share