Categories: ଖେଳ

ମଜୁମଦାର ହୋଇପାରନ୍ତି ଭାରତୀୟ ମହିଳା ଦଳର କୋଚ୍‌

ନୂଆଦିଲ୍ଲୀ, ୪ା୭(ପି.ଟି.): ଘରୋଇ କ୍ରିକେଟର ଅନ୍ୟତମ ଶ୍ରେଷ୍ଠ ଖେଳାଳି ଅମୋଲ ମଜୁମଦାର ଭାରତୀୟ ମହିଳା କ୍ରିକେଟ ଦଳର ମୁଖ୍ୟ କୋଚ୍‌ ହେବାର ସମ୍ଭାବନା ସ୍ପଷ୍ଟ ହୋଇଛି। କ୍ରିକେଟ୍‌ ପରାମର୍ଶଦାତା କମିଟି(ସିଏସି) ପକ୍ଷରୁ କୋଚ୍‌ଙ୍କ ବ୍ୟକ୍ତିଗତ ସାକ୍ଷାତକାର ସୋମବାର ମୁମ୍ବାଇରେ ଅନୁଷ୍ଠିତ ହୋଇଥିଲା। ଅଶୋକ ମଲହୋତ୍ରା, ଜତିନ୍‌ ପରାଞ୍ଜପେ ଓ ସୁଲକ୍ଷଣା ନାଏକଙ୍କ ୩ ଜଣିଆ କମିଟି ନିକଟରେ ମଜୁମଦାର ସାକ୍ଷାତକାର ପାଇଁ ଉପସ୍ଥିତ ରହିଥିଲେ। ମଜୁମଦାରଙ୍କ ପ୍ରେଜେଣ୍ଟେସନ୍‌ ସମସ୍ତଙ୍କୁ ପ୍ରଭାବିତ କରିଥିବା ବେଳେ ସେ କୋଚ୍‌ ହେବା ସ୍ପଷ୍ଟ ହୋଇଛି। ଏହି ତାଲିକାରେ ସେ ପୂର୍ବତନ ଭାରତୀୟ ଦଳର ମୁଖ୍ୟ କୋଚ୍‌ ତୁଷାର ଆରୋଥେ ଓ ଡରହାମ୍‌ କୋଚ୍‌ ଜନ୍‌ ଲୁଇସ୍‌ଙ୍କୁ ପଛରେ ପକାଇଛନ୍ତି।
ଯଦି ମଜୁମଦାର ଭାରତୀୟ ଦଳର କୋଚ୍‌ ଭାବରେ ନିଯୁକ୍ତି ପାଆନ୍ତି ତେବେ ବାଂଲାଦେଶ ସିରିଜ୍‌ ତାଙ୍କର ପ୍ରଥମ ଦାୟିତ୍ୱ ହେବ। ଡିସେମ୍ବର ୨୦୨୨ ପରଠାରୁ ଭାରତୀୟ ଦଳ ବିନା ମୁଖ୍ୟ କୋଚ୍‌ରେ କାର୍ଯ୍ୟ କରୁଛି। ରମେଶ ପଓ୍ବାର ବିଦା ହେବା ପରଠାରୁ ଏହି ପଦବୀ ଖାଲି ପଡିଛି। ବିସିସିଆଇର ଜନୈକ ଅଧିକାରୀଙ୍କ ଅନୁଯାୟୀ ୩ଜଣଙ୍କ ପ୍ରେଜେଣ୍ଟେସନ୍‌ ବେଶ୍‌ ଭଲ ଥିଲା ମାତ୍ର ମଜୁମଦାରଙ୍କ ପ୍ରେଜେଣ୍ଟେସନ୍‌ ଶ୍ରେଷ୍ଠ ଥିଲା। ତେଣୁ ମଜୁମଦାରଙ୍କୁ ଏହି ଦାୟିତ୍ୱ ମିଳିବାର ସମ୍ଭାବନା ଅଧିକ ବୋଲି ଜନୈକ ବିସିସିଆଇ ଅଧିକାରୀ ପ୍ରକାଶ କରିଛନ୍ତି।

Share