ସ୍ଥାୟୀ ରଥ ନିର୍ମାଣ ହେଉ

ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା

 

ମହାପ୍ରଭୁ ଶ୍ରୀଜଗନ୍ନାଥ ପ୍ରତ୍ୟେକ ଓଡ଼ିଆର ଆରାଧ୍ୟ ଦେବତା। କେବଳ ଆମ ଦେଶରେ ନୁହେଁ, ସାରା ପୃଥିବୀରେ ସେ ପାଲଟିଛନ୍ତି ପ୍ରମୁଖ ପରିଚୟ। ବର୍ଷର ବାର ମାସରେ ତାଙ୍କ ପ୍ରତି ଶ୍ରଦ୍ଧା, ସମ୍ମାନ ଓ ଭକ୍ତି ପ୍ରଦର୍ଶନ କରି ପାଳନ ହୋଇଥାଏ ତେରପର୍ବ। ତେବେ ତନ୍ମଧ୍ୟରେ ଶ୍ରେଷ୍ଠତମ ହେଲା ପ୍ରତିବର୍ଷ ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ପୁରୁଷୋତ୍ତମପୀଠ ପୁରୀଠାରେ ଅନୁଷ୍ଠିତ ପ୍ରସିଦ୍ଧ ରଥଯାତ୍ରା ବା ଗୁଣ୍ଡିଚା ଯାତ୍ରା, ଯାହାକି ଏବେ ଦେଶର ଅସଂଖ୍ୟ ସ୍ଥାନ ସମେତ ସମଗ୍ର ବିଶ୍ୱର ବହୁ ସ୍ଥାନକୁ ସମ୍ପ୍ରସାରିତ ହେଲାଣି। ଓଡ଼ିଆ ଜାତି ପାଇଁ ଏହା ଏକ ଗର୍ବ ଓ ଗୌରବର ବିଷୟ। ପୁରୀର ରଥଯାତ୍ରା ଲାଗି ଅନୁସରଣ କରାଯାଏ ବହୁ ବିଧିବଦ୍ଧ ପାରମ୍ପରିକ ବିଧିବିଧାନ। ଏହାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥାଏ ପବିତ୍ର ଅକ୍ଷୟ ତୃତୀୟାଠାରୁ। ସେ ଦିନ ମହାପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଏବଂ ଦେବୀ ସୁଭଦ୍ରାଙ୍କ ପାଇଁ ତିନୋଟି ନୂଆ ରଥ ନିର୍ମାଣ ଲାଗି ଶୁଭ ଦିଆଯାଏ। ପୌରାଣିକ ମତ ଅନୁସାରେ ଏଥିରେ ବିଜେ କରି ସେମାନେ ଗୁଣ୍ଡିଚା ଦେବୀଙ୍କ ମନ୍ଦିରକୁ ଯାତ୍ରା କରନ୍ତି। ସେଠାରେ ଅବସ୍ଥାନ କରନ୍ତି ବାହୁଡ଼ାଯାତ୍ରା ପର୍ଯ୍ୟନ୍ତ।
ପ୍ରତିବର୍ଷ ଏହି ରଥଗୁଡ଼ିକର ତିଆରି ଲାଗି ନୟାଗଡ଼, ଦଶପଲ୍ଲା ଏବଂ ବୌଦ୍ଧ ବନଖଣ୍ଡରୁ ଅସନ, ଧଉରା ଏବଂ ଫାସି କାଠ ଏବଂ ଖୋର୍ଦ୍ଧା ବନଖଣ୍ଡରୁ ଶିମିଳି ଓ ଗମ୍ଭାରୀ କାଠ ସଂଗ୍ରହ ହୋଇଥାଏ। ଏଥିପାଇଁ ପ୍ରାୟ ଶହ ଶହ ପରିପକ୍ୱ ଗଛ କାଟିବାକୁ ପଡ଼େ। ସମୟ ଥିଲା ଯେତେବେଳେ ଆମ ରାଜ୍ୟ ବଣଜଙ୍ଗଲରେ ଭରି ରହିଥିଲା ସେତେବେଳେ ଏପରି କରିବା ପରିବେଶକୁ ବିଶେଷ ପ୍ରଭାବିତ କରୁ ନ ଥିଲା। କିନ୍ତୁ ବର୍ତ୍ତମାନ ସେ ଅବସ୍ଥା ନାହିଁ। ପରିବେଶ ପ୍ରଦୂଷଣ ଏବଂ ଜାଗତିକ ଉଷ୍ମତା ଏକ ଘାତକ ସମସ୍ୟା ରୂପେ ଉଭା ହେଲାଣି। ଅତଏବ ଏବେ ଏହାର ପୁନର୍ବିଚାର କରିବାର ସମୟ ଆସିଛି।
ରାଜ୍ୟ ସରକାରଙ୍କ ଆକଳନ ଅନୁସାରେ ବର୍ତ୍ତମାନ ଓଡ଼ିଶାରେ ଜଙ୍ଗଲ ସର୍ବନିମ୍ନ ଆବଶ୍ୟକତା ପାଖାପାଖି ରହିଛି- ଏହାର କ୍ଷେତ୍ରଫଳ ୧,୫୫,୭୦୭ ବର୍ଗକିଲୋମିଟର ହେଲାବେଳେ ଜଙ୍ଗଲର ଆୟତନ ୫୧,୬୧୮ ବର୍ଗକିଲୋମିଟର (୨୦୧୯), ଅର୍ଥାତ୍‌ ପ୍ରାୟ ୩୩ ପ୍ରତିଶତ। ତେବେ ତହିଁରୁ ଅନେକ ଘଞ୍ଚଜଙ୍ଗଲ ନୁହେଁ। ଏଣୁ ପରିବେଶ ଉପରେ ଏହାର ପ୍ରଭାବ ଏତେଟା ଅନୁକୂଳ ନୁହେଁ। ଏପରିସ୍ଥଳେ ରଥଯାତ୍ରା ପାଇଁ ଏତେ ଏତେ ଗଛ କାଟିବା ଆଦୌ ସମୀଚୀନ ନୁହେଁ।
ପରିପକ୍ୱ ଗଛଗୁଡ଼ିକ ତାଙ୍କର ଆକାର ପ୍ରକାର ଉପରେ ନିର୍ଭର କରି ଆମକୁ ନିମ୍ନୋକ୍ତ ସେବା ପ୍ରଦାନ କରିଥାନ୍ତି- (୧) ଏହାର ଶୁଷ୍କ ଡାଳପତ୍ର ଗ୍ରାମାଞ୍ଚଳର ୪୦ ପ୍ରତିଶତ ଇନ୍ଧନ ଆବଶ୍ୟକତା ପୂରଣ କରେ, (୨) ଗୋଟିଏ ବଡ଼ଗଛ (ପ୍ରାୟ ୩୨ ଫୁଟ୍‌ ଉଚ୍ଚତା ବିଶିଷ୍ଟ) ବର୍ଷକୁ ୨୬୦ ପାଉଣ୍ଡ ଅମ୍ଳଜାନ ଉତ୍ପାଦନ କରେ, ଯେତେବେଳେ କି ଜଣେ ବ୍ୟକ୍ତି ତା’ର ଶ୍ୱାସକ୍ରିୟା ସମ୍ପାଦନ ଲାଗି ଆବଶ୍ୟକ କରିଥାଏ ୩୮୬ ପାଉଣ୍ଡ, (୩) ଏକ ଏକର ଜଙ୍ଗଲ ବାର୍ଷିକ ୬ ଟନ୍‌ ଅଙ୍ଗାରକାମ୍ଳ ଶୋଷଣ କଲାବେଳେ ୪ ଟନ୍‌ ଅମ୍ଳଜାନ ଉତ୍ପନ୍ନ କରେ, (୪) ଗଛଗୁଡ଼ିକ ୫୦ ପ୍ରତିଶତ ପର୍ଯ୍ୟନ୍ତ ଧ୍ୱନି ପ୍ରଦୂଷଣ ହ୍ରାସ କରନ୍ତି, (୫) ଗୋଟିଏ ବଡ଼ଗଛ ବାଷ୍ପୀକରଣ ମାଧ୍ୟମରେ ଯେତିକି ଶୀତଳତା ପ୍ରଦାନ କରେ ତାହା ୧୦ଟି ପ୍ରକୋଷ୍ଠକୁ ୨୦ ଘଣ୍ଟା ଧରି ଶୀତଳ ରଖିପାରିଲା ଭଳି ଶୀତତାପ ନିୟନ୍ତ୍ରିକ ସହିତ ସମାନ, (୬) ଗୋଟିଏ ୧୦,୦୦୦ ବୃକ୍ଷ ବିଶିଷ୍ଟ ଛୋଟ ଜଙ୍ଗଲ ୧୦ ନିୟୁତ ଗ୍ୟାଲନ୍‌ ବୃଷ୍ଟିଜଳ ଧରିରଖେ ଏବଂ ପ୍ରାକୃତିକ ବିଶୋଧନକାରୀ ରୂପେ କାର୍ଯ୍ୟ କରେ, (୭) ଆମେ ବ୍ୟବହାର କରୁଥିବା ଔଷଧଗୁଡ଼ିକରୁ ଏକ ଚତୁର୍ଥାଂଶ ଜଙ୍ଗଲରୁ ଆସେ,(୮) ଯଥେଷ୍ଟ ଗଛଲତା ନ ଥିବା ଅଞ୍ଚଳର ଲୋକଙ୍କ ମଧ୍ୟରେ ହୃଦ୍‌ରୋଗ ଏବଂ ଶ୍ୱାସକ୍ରିୟାଜନିତ ରୋଗରେ ଅକାଳ ମୃତ୍ୟୁ ସଂଖ୍ୟା ଅଧିକ, (୯) ବିସ୍ତୃତ ବୃକ୍ଷରାଜି ମନକୁ ଶାନ୍ତ କରେ ଏବଂ ଅପରାଧପ୍ରବଣତା ହ୍ରାସ କରେ, (୧୦) ଅରଣ୍ୟ ଓ ଗଛଲତା ବିବିଧ ପଶୁପକ୍ଷୀଙ୍କୁ ବାସ ଓ ସୁରକ୍ଷା ପ୍ରଦାନ କରି ଜୈବବିବିଧତା ସଂରକ୍ଷଣ କରନ୍ତି, (୧୧) ଗୋଟିଏ ଗଛ ତା’ ଜୀବନର ୪୦ ବର୍ଷ ମଧ୍ୟରେ ୧ ଟନ୍‌ରୁ ଅଧିକ ଅଙ୍ଗାରକାମ୍ଳ ଶୋଷଣ କରି ଜାଗତିକ ଉଷ୍ମତା ହ୍ରାସ କରେ, (୧୨) ଝଡ଼ବାତ୍ୟା ଓ ବୃଷ୍ଟିପାତ ନିୟନ୍ତ୍ରଣ କ୍ଷେତ୍ରକୁ ଗଛଗୁଡ଼ିକ ଅବଦାନ ଅକଳନୀୟ।
ଅନ୍ୟପକ୍ଷରେ ଅର୍ଥନୈତିକ ଦୃଷ୍ଟିରୁ ବିଚାର କଲେ ପ୍ରଫେସର ଟି.ଏମ୍‌. ଦାସ (କଲିକତା ବିଶ୍ୱବିଦ୍ୟାଳୟ)ଙ୍କ ଆକଳନ ଅନୁସାରେ ୫୦ ବର୍ଷ ବଞ୍ଚୁଥିବା ଗୋଟିଏ ଗଛ ତା’ ଜୀବନକାଳ ମଧ୍ୟରେ ଆମକୁ ଅମ୍ଳଜାନ ଉତ୍ପାଦନ, ପଶୁପାଳନ, ମୃତ୍ତିକା ସଂରକ୍ଷଣ ଓ ଜଳ ପୁନଃଚକ୍ରଣ, ବାୟୁମଣ୍ଡର ଆର୍ଦ୍ରତା ଓ ତାପମାତ୍ରା ନିୟନ୍ତ୍ରଣ, ବିବିଧ ପଶୁପକ୍ଷୀଙ୍କୁ ବାସ ଯୋଗାଣ ଆଦି ମାଧ୍ୟମରେ ଜୈବବିବିଧତାର ସୁରକ୍ଷା ଏବଂ ବାୟୁରୁ ଅଙ୍ଗାରକାମ୍ଳ, ଗନ୍ଧକ ଅକ୍‌ସାଇଡ୍‌, ଭାସମାନ ସୂକ୍ଷ୍ମକଣିକା ପ୍ରଭୃତି ପ୍ରଦୂଷକ ନିଷ୍କାସନ ଇତ୍ୟାଦି କ୍ଷେତ୍ରକୁ ଦେଉଥିବା ଅବଦାନର ମୂଲ୍ୟ ପ୍ରାୟ ୭୧୦,୨୬୦ ଡଲାର ( x ୭୫ ଟଙ୍କା)। ଅନ୍ୟ ଏକ ଆକଳନ ଅନୁସାରେ ସହରାଞ୍ଚଳର ଗୋଟିଏ ଗଛ ଝଡ଼ରୁ ସୁରକ୍ଷା, ଦୂଷିତ ଜଳ ବିଶୋଧନ, ବାୟୁର ମାନବୃଦ୍ଧି, ଶୀତଳୀକରଣ ହେତୁ ଶକ୍ତି ଆବଶ୍ୟକତା ହ୍ରାସ ଆଦିର ମୂଲ୍ୟ ଏଥିପ୍ରତି ବ୍ୟୟ କରାଯାଉଥିବା ଅର୍ଥର ପ୍ରାୟ ୫୩ରୁ ୬୭ ଗୁଣ ଅଧିକ। ଅତଏବ ଗୋଟିଏ ଗଛ କାଟିଲେ ଏତିକି ଅର୍ଥନୈତିକ କ୍ଷତି ଘଟେ। ଏପରିସ୍ଥଳେ ରଥଯାତ୍ରା ପାଇଁ ପ୍ରତିବର୍ଷ ଶହ ଶହ ଗଛ କାଟିବା କେତେ କ୍ଷତିକାରକ ତାହା କଳନା କରିବାର କଥା।
ସମ୍ଭବତଃ ଏସବୁ ବିଚାରକୁ ନେଇ ପ୍ରାକ୍ତନ ରାଜ୍ୟପାଳ ଭଗବତ ଦୟାଲ୍‌ ଶର୍ମାଙ୍କ ଅଧ୍ୟକ୍ଷତାରେ କମିଟିଟିଏ ଗଠନ କରାଯାଇଥିଲା। ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟ ଏବଂ ମୁକ୍ତିମଣ୍ଡପର ପଣ୍ଡିତ ସଭା ସହିତ ଆଲୋଚନା ପରେ ଏକ ସ୍ଥାୟୀ ରଥ ନିର୍ମାଣ ଲାଗି ଏହା ସୁପାରିସ କରିଥିଲା। ପୁନଶ୍ଚ ଏହି ସୁପାରିସ ଅନୁସାରେ ସମୟକୁ ସମୟ ଆବଶ୍ୟକ ହେଉଥିବା କାଠ ଯୋଗାଣ ପାଇଁ ‘ଜଗନ୍ନାଥ ବନ ପ୍ରକଳ୍ପ’ କାର୍ଯ୍ୟକାରୀ କରି ଢେଙ୍କାନାଳ, ଅନୁଗୋଳ ଏବଂ କଟକ ଜିଲା ସମେତ ମହାନଦୀର ଅବବାହିକାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। କିନ୍ତୁ ପ୍ରଥମ ପର୍ଯ୍ୟାୟ ପରେ ଏହା ବନ୍ଦ ରହିଛି। ପୁନଶ୍ଚ ଯାହାବି ବୃକ୍ଷରୋପଣ କରାଯାଇଛି ଏବଂ ତହିଁରୁ ଯେତିକି ବଞ୍ଚିରହିଛି ତାହା ବ୍ୟବହାର ଉପଯୋଗୀ ହେବାକୁ ପ୍ରାୟ ୪୦ ବର୍ଷ ଲାଗିବ।
ଇତିମଧ୍ୟରେ ପ୍ରାୟ ବହୁ ବର୍ଷ ବିତିଯାଇଥିଲେ ହେଁ ସରକାର ସ୍ଥାୟୀ ରଥ ନିର୍ମାଣ ଦିଗରେ କୌଣସି ପଦକ୍ଷେପ ନ ନେବାରୁ ପରିବେଶପ୍ରେମୀ ମୃଣାଳିନୀ ପାଢ଼ୀଙ୍କ ତରଫରୁ ଉଚ୍ଚତମ ନ୍ୟାୟାଳୟରେ ଜନସ୍ବାର୍ଥ ମାମଲାଟିଏ ରୁଜୁ କରାଯାଇଥିଲା। ୨୦୧୯ ନଭେମ୍ବର ୪ ତାରିଖରେ ଏହାର ଶୁଣାଣି କରି ବିଚାରପତି ଏ ସମ୍ପର୍କରେ ମଧ୍ୟବର୍ତ୍ତୀ ନିର୍ଦ୍ଦେଶଟିଏ ଦେଇଥିଲେ। ତଥାପି ସରକାର ଏବେସୁଦ୍ଧା ଏ ଦିଗରେ କୌଣସି ପଦକ୍ଷେପ ନେଇନାହାନ୍ତି। ଏହାର ମୁଖ୍ୟ କାରଣ ହେଲା କିଛି ପ୍ରଭାବଶାଳୀ ବ୍ୟକ୍ତି ପରମ୍ପରା ନଁାରେ ଏହାର ବିରୋଧ କରିଆସୁଛନ୍ତି। ସେମାନେ ମନେରଖିବା ଉଚିତ ଯେ, କୌଣସି ପରମ୍ପରା ଚିରସ୍ଥାୟୀ ନୁହେଁ- ସମୟ ସହିତ ତାଳଦେଇ ତାହା ବଦଳିଥାଏ, ଯେମିତି ଘଟିଛି ସତୀଦାହ ପ୍ରଥା ଅଥବା ନରବଳି କ୍ଷେତ୍ରରେ। ପୁନଶ୍ଚ ଏବେ ପରମ୍ପରା ଅପେକ୍ଷା ପରିବେଶର ସୁରକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ। ଏଣୁ ସମସ୍ତ ପରିବେଶପ୍ରେମୀ ଏବଂ ସଚେତନ ନାଗରିକ ଶର୍ମା କମିଟିର ସୁପାରିସକୁ କାର୍ଯ୍ୟକାରୀ କରି ସ୍ଥାୟୀ ରଥ ନିର୍ମାଣ ଲାଗି ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବା ସଙ୍ଗେ ସଙ୍ଗେ ଗଜପତି ମହାରାଜା, ଶଙ୍କରାଚାର୍ଯ୍ୟ ଏବଂ ମୁକ୍ତିମଣ୍ଡପର ସଭ୍ୟମାନଙ୍କୁ ଏ ଦିଗରେ ପଦକ୍ଷେପ ନେବାକୁ ପ୍ରରୋଚିତ କରନ୍ତୁ। ବିଶେଷକରି ଜଗନ୍ନାଥପ୍ରେମୀମାନେ ଏ ଦିଗରେ ନେତୃତ୍ୱ ନିଅନ୍ତୁ, କାରଣ ତାଙ୍କରି ଆରାଧ୍ୟ ଦେବତାଙ୍କ ଦ୍ୱାହିଦେଇ ହିଁ ପ୍ରତିବର୍ଷ ନୂତନ ରଥ ନିର୍ମାଣ ଲାଗି ଶହ ଶହ ଜୀବଜଗତର ମାତୃତୁଲ୍ୟ ବୃକ୍ଷଗୁଡ଼ିକୁ ଅନାବଶ୍ୟକ ଭାବେ ଛେଦନ କରାଯାଉଛି।
ଉଷାନିବାସ, ୧୨୪/୨୪୪୫,
ଖଣ୍ଡଗିରି ବିହାର, ଭୁବନେଶ୍ୱର
ମୋ: ୯୯୩୭୯୮୫୭୬୭


Enter your email to get our daily news in your inbox.

All Right Reserved By Dharitri.Com

ଆଧୁନିକ ମଣିଷ ଓ ଗୃହସ୍ଥାଶ୍ରମ

ପ୍ରତ୍ୟେକ ବ୍ୟକ୍ତିକୁ ଜୀବନରେ ୪ଟି ଆଶ୍ରମର ଅନୁପାଳନ କରିବାକୁ ହୁଏ। ସେଗୁଡିକ ହେଲା ବ୍ରହ୍ମଚର୍ଯ୍ୟାଶ୍ରମ, ଗୃହସ୍ଥାଶ୍ରମ, ବାନପ୍ରସ୍ଥାଶ୍ରମ ଓ ସନ୍ନ୍ୟାସାଶ୍ରମ। ବ୍ରହ୍ମଚର୍ଯ୍ୟାଶ୍ରମରେ ଗୁରୁକୁଳରେ ଶୈଶବୋତ୍ତର ତାରୁଣ୍ୟକୁ...

ଏସିଡ୍‌ ଆଟାକ୍‌ ଓ ଆଇନ ବ୍ୟବସ୍ଥା

ଆଜିକାଲି ମହିଳାମାନେ ଘର ଚଳାଇବାଠାରୁ ଆରମ୍ଭ କରି ଚନ୍ଦ୍ରକୁ ଯିବା ଭଳି କାର୍ଯ୍ୟ କଲେଣି। ହେଲେ ସେମାନଙ୍କୁ କଷ୍ଟ ବା ନିର୍ଯାତନା ଦେବା ବନ୍ଦ ହୋଇନି।...

ତାଲିବାନ୍‌ର ଲିଙ୍ଗଗତ ଭେଦଭାବ

ଆଫଗାନିସ୍ତାନର ତାଲିବାନ୍‌ ନେତାମାନଙ୍କର ବିଶ୍ୱାସ ଯେ କେବଳ ଇସ୍‌ଲାମ୍‌ର ମତ ହିଁ ବୈଧ। ସେଥିପାଇଁ ସେମାନେ ବିଭିନ୍ନ ଆଦେଶ ଜାରି କରି ଚାଲିଛନ୍ତି ଯାହା ଦେଶର...

ସାଧୁ ସାବଧାନ

ର୍ବାଚନ ପୂର୍ବରୁ ଓ ନିର୍ବାଚନ ପରେ ନେତାମାନଙ୍କର ଲୋକଙ୍କ ପ୍ରତି ବ୍ୟବହାର ଭିତରେ ଏତେ ଫରକ ହେବ ବୋଲି ଆଗରୁ ସାଧାରଣ ଲୋକେ ଭାବିପାରୁ ନ...

ପ୍ରାଣବର୍ଷା

ଗୀତାରେ ଭଗବାନ କୃଷ୍ଣ କହନ୍ତି, ‘ଯଜ୍ଞାଦ ଭବତି ପର୍ଜନ୍ୟଃ’ ଅର୍ଥାତ୍‌ ଯଜ୍ଞ ଦ୍ୱାରା ପର୍ଜନ୍ୟ ବର୍ଷା ହୁଏ। ଲୋକେ ବର୍ଷାର ଅର୍ଥ ପାଣିବର୍ଷାକୁ ବୁଝନ୍ତି, ଏହା...

ହିନ୍ଦୁଙ୍କ ସାଦା ଖାଦ୍ୟ

ଓଡ଼ିଶାରେ ଯଦି ଆପଣ ଶାକାହାର ଖାଦ୍ୟ ଖାଇବାକୁ ଚାହାନ୍ତି, ତେବେ ‘ସାଦା’ ଖାଦ୍ୟ ମାଗିବାକୁ ପଡ଼େ। ଯେତେବେଳେ ବୌଦ୍ଧଧର୍ମ ଏବଂ ଜୈନଧର୍ମ ଓଡ଼ିଶାର ପ୍ରମୁଖ ଧର୍ମ...

ଏଇ ଭାରତରେ

ଭାରତରେ ଏବେ ଅନେକ ସହରରେ ବାୟୁ ପ୍ରଦୂଷଣ ଅସହ୍ୟ ହୋଇପଡ଼ିଛି। ବିଶେଷକରି ଦିଲ୍ଲୀରେ ବାହାରକୁ ବାହାରିବା ବିପଜ୍ଜନକ ହୋଇଯାଇଛି। ସ୍କୁଲ ବନ୍ଦ କରିବାକୁ ପଡ଼ୁଛି। ଏବେ...

ବ୍ୟାଙ୍କିଙ୍ଗ୍‌ରେ ସାଇବର ସୁରକ୍ଷା

ବର୍ତ୍ତମାନ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ସାଇବର ସୁରକ୍ଷାର ଆବଶ୍ୟକତା ବହୁତ ବେଶି। କାରଣ ଲୋକମାନେ ସମୟ ଅଭାବରୁ ଅନ୍‌ଲାଇନ ମାଧ୍ୟମରେ ବ୍ୟାଙ୍କ କାରବାର କରୁଛନ୍ତି। ଆଉ ସାଇବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri