ନିରପେକ୍ଷ ନିଷ୍ପତ୍ତି ନିଅ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,(ବ୍ୟୁରୋ): ଲୋକମାନଙ୍କ ସହ ସିଧାସଳଖ କଥା ହେବା, ସହୃଦୟତାର ସହ ସେମାନଙ୍କ କଥା ଶୁଣିବା ଏବଂ ନିରପେକ୍ଷ ଭାବେ ନିଷ୍ପତ୍ତି ନେଇ କାର୍ଯ୍ୟ କରିବା ପାଇଁ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ବୁଧବାର ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ଶିକ୍ଷାନବିଶଙ୍କୁ ପରାମର୍ଶ ଦେଇଛନ୍ତି। ସ୍ଥାନୀୟ ଗୋପବନ୍ଧୁ ପ୍ରଶାସନିକ ପ୍ରତିଷ୍ଠାନରେ ଆୟୋଜିତ ତାଲିମ କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଅଧିବେଶନରେ ମୁଖ୍ୟ ଶାସନ ସଚିବ ଯୋଗଦେଇ କହିଲେ, କୋଭିଡ୍‌ ସମୟରେ ଶିକ୍ଷାନବିଶମାନେ କ୍ଷେତ୍ରସ୍ତରରେ କରିଥିବା କାର୍ଯ୍ୟ ପ୍ରଶଂସନୀୟ। ଏଥିପାଇଁ ସେମାନେ ପ୍ରଶଂସାର ପାତ୍ର। ବୃତ୍ତିଗତ ଜୀବନର ଆରମ୍ଭରୁ ସମସ୍ତେ ମହାମାରୀ ପରିଚାଳନା ଅଭିଜ୍ଞତା ହାସଲ କରିଛନ୍ତି। ଏହାକୁ ଭବିଷ୍ୟତରେ ସମ୍ଭାବ୍ୟ ସ୍ବାସ୍ଥ୍ୟଜନିତ ସମସ୍ୟା ସମାଧାନରେ ସଫଳ ଭାବେ ପ୍ରୟୋଗ କରାଯାଇପାରିବ। ଅନ୍ୟାନ୍ୟ କ୍ୟାଡର ଅପେକ୍ଷା ଓଏଏସ୍‌ ଅଧିକାରୀ ଭାବେ ଜନତାଙ୍କ ସେବା କରିବାରେ ବ୍ୟାପକ ସୁଯୋଗ ରହିଛି। ସମସ୍ତଙ୍କ କାର୍ଯ୍ୟାଧାରା ଏପରି ହେବା ଉଚିତ, ଯାହାକୁ ସାଧାରଣ ନାଗରିକ ଅନୁଭବ କରିପାରିବେ। ଏହାଦ୍ୱାରା ବ୍ୟବସ୍ଥା ଉପରେ ସେମାନଙ୍କ ଭରସା ଆସିବ। କାର୍ଯ୍ୟରେ ସ୍ବଚ୍ଛତା, ନିରପେକ୍ଷତା ଏବଂ ତ୍ୱରିତ ପଦକ୍ଷେପ ମାଧ୍ୟମରେ ବୃତ୍ତିଗତ ଜୀବନକୁ ସଫଳ କରିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି। କୌଣସି ଅଧିକାରୀଙ୍କ ବିଷୟରେ କ୍ରମାଗତ ନକାରାତ୍ମକ ମତାମତ ମିଳିଲେ ସମ୍ପୃକ୍ତ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ଉଦ୍‌ଘାଟନୀ ଅଧିବେଶନରେ ଗୋପବନ୍ଧୁ ପ୍ରଶାସନିକ ପ୍ରତିଷ୍ଠାନର ନିର୍ଦ୍ଦେଶକ ଏସ୍‌.ପି. ଠାକୁର ନିଜର ଦୀର୍ଘ ପ୍ରଶାସନିକ ଅଭିଜ୍ଞତା ବିଷୟରେ ଆଲୋଚନା କରି କହିଛନ୍ତି, ବର୍ତ୍ତମାନ ତାଲିମ ନେଉଥିବା ଅଧିକାରୀମାନେ ୨୦୧୮ ବ୍ୟାଚର। କୋଭିଡ୍‌ ସମୟରେ ରାଜ୍ୟର ଅଧିକ ପ୍ରଭାବିତ ଅଞ୍ଚଳରେ କାର୍ଯ୍ୟକରି ଏମାନେ କ୍ଷେତ୍ରସ୍ତରୀୟ ତାଲିମ ନେଇଛନ୍ତି। ୬୨ ଶିକ୍ଷାନିବିଶଙ୍କ ମଧ୍ୟରୁ ୨୯ଜଣ ମହିଳା। ଏହି ତାଲିମ କାର୍ଯ୍ୟକ୍ରମ ଆସନ୍ତା ଜୁନ୍‌ ୨୭ ପର୍ଯ୍ୟନ୍ତ ଚାଲିବ।

 

 

Share