ଘରେ କରନ୍ତୁ କଫ୍‌ ଶିରପ୍‌

କାଶ ହେବା ସମୟରେ ବ୍ୟବହାର ହେଉଥିବା କଫ୍‌ ଶିରପ୍‌କୁ ଆପଣ ଘରେ ବି ତିଆରି କରିପାରିବେ। ଏଥିପାଇଁ ମୁଖ୍ୟତଃ ୪ଟି ଜିନିଷ ଆବଶ୍ୟକ ହୋଇଥାଏ। ଅଲିଭ୍‌ ଅଏଲ୍‌, ମହୁ, ଅଦା ଓ ଲେମ୍ବୁ ରସ। ଏସବୁ ସାମଗ୍ରୀ ଗଳା ନିମନ୍ତେ ଲାଭଦାୟକ। ଗଳାରେ ଖିଚ୍‌ ଖିଚ୍‌ କମ୍‌ କରିବା ନିମନ୍ତେ ମହୁ ଅତ୍ୟନ୍ତ ଲାଭଦାୟକ। ଗଳାଦରଜ ସମସ୍ୟାରୁ ମୁକ୍ତି ନିମନ୍ତେ ଅଦା ଉପକାରୀ। ଏଥିରେ ଆଣ୍ଟି ବାୟୋଟିକ୍‌ ତତ୍ତ୍ୱ ରହିଛି, ଯାହା ଇନ୍‌ଫେକ୍‌ସନ୍‌ ଓ ଗଳା ଦରଜ ସମସ୍ୟାରୁ ମୁକ୍ତି ଦେଇଥାଏ। ଲେମ୍ବୁରେ ସାଇଟ୍ରିକ୍‌ ଅମ୍ଳ ରହିଥିବାରୁ ଏହା କଫ ନାଶ କରିବାରେ ସହାୟକ ହୋଇଥାଏ।
ଶିରପ୍‌ ତିଆରି କରିବା ନିମନ୍ତେ ଅଲିଭ୍‌ ଅଏଲରେ ମହୁ, ଲେମ୍ବୁ ରସ ଓ ଛେଚା ହୋଇଥିବା ଅଦାକୁ ମିଶାନ୍ତୁ। ଏସବୁକୁ ଏକାଠି କରି ସଙ୍ଗେ ସଙ୍ଗେ ଖାଇ ଦିଅନ୍ତୁ। କାଶ ହେଉଥିଲେ ଆରାମ ଲାଗିବ। ତେବେ ଅଧିକ କାଶ ହେଉଥିଲେ ଡାକ୍ତରଙ୍କ ସହ ପରାମର୍ଶ ନିଶ୍ଚୟ କରନ୍ତୁ।