‘ସ୍କୁଲରେ କମ୍ପ୍ୟୁଟର ଶିକ୍ଷା ବାଧ୍ୟତାମୂଳକ ହେଉ’

ଭୁବନେଶ୍ୱର, ୧୦।୩(ବ୍ୟୁରୋ): ରାଜ୍ୟର ସରକାରୀ ସ୍କୁଲଗୁଡ଼ିକରେ କମ୍ପ୍ୟୁଟର ଶିକ୍ଷା ବାଧ୍ୟତାମୂଳକ କରିବା ଦାବିରେ ଓଡ଼ିଶା ଅଭିଭାବକ ମହାସଂଘ ପକ୍ଷରୁ ମଙ୍ଗଳବାର ରାଜଭବନ ସମ୍ମୁଖରେ ଧାରଣା ଦିଆଯାଇଥିଲା। ମହାସଂଘ କର୍ମକର୍ତ୍ତା କହିଛନ୍ତି, ସ୍କୁଲରେ ପିଲାଙ୍କୁ କମ୍ପ୍ୟୁଟର ଶିକ୍ଷା ପ୍ରଦାନ ବିନା ଗୁଣାତ୍ମକ ଶିକ୍ଷାର ପରିକଳ୍ପନା କରିବା ଅସମ୍ଭବ। ୨୦୧୪ରେ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରାୟ ୧ ହଜାର କୋଟି ଟଙ୍କା ଖର୍ଚ୍ଚ କରି ୪ହଜାରୁ ଊର୍ଦ୍ଧ୍ୱ ହାଇସ୍କୁଲରେ କମ୍ପ୍ୟୁଟର ଲାବ୍‌ ପ୍ରତିଷ୍ଠା ସହ କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତ କରିଥିଲେ। କିନ୍ତୁ ୨୦୧୯ରେ ଓପେପା ପ୍ରକଳ୍ପ ବନ୍ଦ ହେବା ପରେ ସେହି ଶିକ୍ଷକମାନଙ୍କୁ ଛଟେଇ କରାଯାଇଛି। କମ୍ପ୍ୟୁଟର ଲ୍ୟାବ୍‌ଗୁଡ଼ିକରେ ମଧ୍ୟ ତାଲା ପଡ଼ିଛି। ସରକାରୀ ସ୍କୁଲରେ ଶିକ୍ଷାର ମାନ କମିଯାଉଥିବାରୁ ଅଭିଭାବକମାନେ ବାଧ୍ୟହୋଇ ଘରୋଇ ସ୍କୁଲମୁହାଁ ହେଉଛନ୍ତି। ଗତ ୫ବର୍ଷ ମଧ୍ୟରେ ପ୍ରାୟ ୩୫% ସରକାରୀ ବିଦ୍ୟାଳୟ ପିଲା ବେସରକାରୀ ସ୍କୁଲକୁ ସ୍ଥାନାନ୍ତର ହୋଇଥିବା ଜଣାପଡ଼ିଛି। କମ୍ପ୍ୟୁଟର ଲାବ୍‌ ନ ଖୋଲି ଶିକ୍ଷାଦାନ ବନ୍ଦ କଲେ ଲକ୍ଷ ଲକ୍ଷ ପିଲା ଗୁଣାତ୍ମକ ଶିକ୍ଷlରୁ ବଞ୍ଚତ୍ତ ହେବେ। ପିଲାମାନେ ତାଙ୍କ ମୌଳିକ ଅଧିକାରରୁ ବଞ୍ଚତ୍ତ ହେଉଥିବାରୁ ମହାସଂଘ ପ୍ରତିବାଦ ଜଣାଇ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛି।
ଆନ୍ଦୋଳନରେ ଅଭିଭାବକ ମହାସଂଘ କର୍ମକର୍ତ୍ତାମାନଙ୍କ ସହିତ ସରକାରୀ ସ୍କୁଲର ଅଭିଭାବକ, ଛଟେଇ କମ୍ପ୍ୟୁଟର ଶିକ୍ଷକମାନେ ସାମିଲ ହୋଇ ଥାଳି ଚାମଚ ବାଡ଼େଇ ଅଭିନବ ପ୍ରତିବାଦ କରିବା ସହ ସ୍ଲୋଗାନ ଦେଇଥିଲେ। ସରକାର ‘ମୋ ସ୍କୁଲ’ ଯୋଜନାରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ଅର୍ଥ ବରାଦ କରିଛନ୍ତି। ତେଣୁ ଏହି ଯୋଜନାରେ କମ୍ପ୍ୟୁଟର ଶିକ୍ଷାକୁ ସାମିଲ କରିବା ସହ ଲାବ୍‌ଗୁଡ଼ିକ ଖୋଲି ଶିକ୍ଷକମାନଙ୍କୁ ପୁନଃ ନିଯୁକ୍ତି ଦିଅନ୍ତୁ ବୋଲି ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ ଦାବି କରିଛନ୍ତି। ପ୍ରସନ୍ନ ବିଶୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭାରେ ପ୍ରଦୀପ୍ତ ମିଶ୍ର, ଅଶୋକ ପାଇକରାୟ, ଭୂମୋହନ ପଟ୍ଟନାୟକ, ସତ୍ୟବ୍ରତ ପରିଜାଙ୍କ ସମେତ କମ୍ପ୍ୟୁଟର ଶିକ୍ଷକ ନେତ୍ରୀ ଦୀପିକା ମଞ୍ଜରୀ ମିଶ୍ରଙ୍କ ସମେତ ୧୫୦୦ରୁ ଊର୍ଦ୍ଧ୍ୱ ଅଭିଭାବକ ଯୋଗଦେଇଥିଲେ।

Share