‘କ୍ଷୀର ଏମ୍‌ଏସ୍‌ପି ଲିଟର ପିଛା ୩୫ ଟଙ୍କା କରାଯାଉ’

ଭୁବନେଶ୍ୱର, ୨।୩(ବ୍ୟୁରୋ): କ୍ଷୀରର ସର୍ବନିମ୍ନ କ୍ରୟ ମୂଲ୍ୟ ସ୍ଥିର କରାଯାଇ ନ ଥିବାରୁ ଚାଷୀମାନେ ବିଭିନ୍ନ ଦୁଗ୍ଧ କମ୍ପାନୀ ଦ୍ବାରା ଶୋଷିତ ହେଉଛନ୍ତି। ତେଣୁ କ୍ଷୀରର ସର୍ବନିମ୍ନ ମୂଲ୍ୟ (ଏମ୍‌ଏସ୍‌ପି) ଲିଟର ପିଛା ୩୫ ଟଙ୍କା କରିବାକୁ ଓଡ଼ିଶା ଦୁଗ୍ଧ ଚାଷୀ ମହାସଂଘ ଦାବି କରିଛି। କ୍ଷୀରର ଅଭାବୀ ବିକ୍ରିକୁ ରୋକିବା ଏବଂ ଗ୍ରାମାଞ୍ଚଳ ଚାଷୀଙ୍କର ଅର୍ଥନୈତିକ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ଓମ୍‌ଫେଡ୍‌ ପ୍ରତିଷ୍ଠା ହୋଇଥିଲା। ହେଲେ କ୍ଷୀରର ମୂଲ୍ୟ ସ୍ଥିର କରାଯାଇନାହିଁ। ଓଡ଼ିଶା ଦୁଗ୍ଧ ଚାଷୀ ମହାସଂଘର ଏହି ଦାବିକୁ ସମାଜବାଦୀ ପାର୍ଟିର ରାଜ୍ୟ କମିଟି ସଭାପତି ରବି ବେହେରା ସମର୍ଥନ କରିଛନ୍ତି। ଏ ନେଇ ମଙ୍ଗଳବାର ଏକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ବେହେରା କହିଛନ୍ତି, ଅମୂଲ ଲିଟର ପିଛା ୨ଟଙ୍କା କ୍ଷୀର ଦର ବୃଦ୍ଧି କରିଛି। ବଜାରରେ ଡାଲି, ତେଲ, ଚାଉଳ, ଅଟା, ଚିନି, ମହଙ୍ଗା ହେବାରେ ଲାଗିଛି। ଫଳରେ ଲିଟର ପିଛା ୨୭/୨୮ ଟଙ୍କା ପାଉଥିବା ଓମ୍‌ଫେଡ୍‌ ଚାଷୀମାନଙ୍କ ପକ୍ଷରେ କ୍ଷୀର ବିକ୍ରି କରି ଚଳିବା କଷ୍ଟକର ହୋଇପଡ଼ିଛି। ତେଣୁ କ୍ଷୀରର ଲିଟର ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୩୫ଟଙ୍କା କରିବାକୁ ବେହେରା ଦାବି କରିଛନ୍ତି। ଏହାକୁ ତୁରନ୍ତ ଲାଗୁ କରିବା ପାଇଁ ସେ ଓମ୍‌ଫେଡ୍‌ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି।

Share