Advertisement

ସାରା ରାଜ୍ୟରେ ଆବାସ ପ୍ଲସ୍‌ ଆପ୍‌ କାର୍ଯ୍ୟକ୍ଷମ ହେଉ

ଭୁବନେଶ୍ୱର,୬।୭(ବ୍ୟୁରୋ): ସମଗ୍ର ରାଜ୍ୟ ପାଇଁ ଆବାସ ପ୍ଲସ୍‌ ମୋବାଇଲ ଆପ୍‌ କାର୍ଯ୍ୟକ୍ଷମ କରାଯାଉ। ୧ ମାସ ପାଇଁ ଏହି ଆପ୍‌କୁ କାର୍ଯ୍ୟକ୍ଷମ କରିବା ସହ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଆବାସ ପ୍ଲସ୍‌କୁ ସ୍ଥାନାନ୍ତର କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି କରିଛନ୍ତି। ସୋମବାର ମୁଖ୍ୟମନ୍ତ୍ରୀ ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି।
କେନ୍ଦ୍ର ସରକାର କେବଳ ୧୪ ଫନୀ ପ୍ରଭାବିତ ଜିଲା ପାଇଁ ଉକ୍ତ ଆପ୍‌କୁ କାର୍ଯ୍ୟକ୍ଷମ କରିଛନ୍ତି। ଏଥିରୁ ଅନ୍ୟ ୧୬ ଜିଲା ବଞ୍ଚିତ ହୋଇଛନ୍ତି। ବଞ୍ଚିତ ଜିଲା ମଧ୍ୟରେ କେବିକେ ଓ ଆଦିବାସୀ ଏବଂ ଅନ୍ୟାନ୍ୟ ପଛୁଆ ଅଞ୍ଚଳ ହିତାଧିକାରୀ ରହିଛନ୍ତିି। ବାଦ୍‌ ପଡିଥିବା ହିତାଧିକାରୀଙ୍କୁ ରାଜ୍ୟ ସରକାର ରୁରାଲ ହାଉସିଂ ପୋର୍ଟାଲ ଜରିଆରେ ଚିହ୍ନଟ କରିଛନ୍ତି। ଏହା ଆବାସ ପ୍ଲସ୍‌ ଆପ୍‌ ପଦ୍ଧତିକୁ ଅନୁସରଣ କରି ଏହି ଚୟନ କରାଯାଇଛି। ଏଥିପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ଚିଠିରେ ଜଣାଇଛନ୍ତି। ଫନୀ ପ୍ରଭାବିତ ହୋଇ ନ ଥିବା ୧୬ ଜିଲାର ୬ ଲକ୍ଷ ହିତାଧିକାରୀଙ୍କୁ ସାମିଲ ପାଇଁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି। ଓଡ଼ିଶା ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୮ ଲକ୍ଷ ୧୭ ହଜାର ଘର ଯୋଗାଇ ଦେବାକୁ ଅନୁମୋଦନ କରିଛନ୍ତି। ଏହି ସବୁ ଘର ୧୪ଟି ଜିଲାରେ ଫନୀ ପ୍ରଭାବିତଙ୍କୁ ଯୋଗାଇ ଦିଆଯିବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share