Categories: ବାଣିଜ୍ୟ

ଆକାଉଣ୍ଟରେ ଟଙ୍କା ନ ଥିଲେ ବି କରିପାରିବେ ୟୁପିଆଇ ପେମେଣ୍ଟ: ଜାଣନ୍ତୁ କେମିତି

ସମୟ ବଦଳିବା ସହିତ ଭାରତରେ ଡିଜିଟାଲ ପେମେଣ୍ଟର ଧାରା ବହୁତ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଯଦି ଆପଣ ୟୁପିଆଇ ମାଧ୍ୟମରେ ପେମେଣ୍ଟ କରନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ଉପଯୋଗୀ। ଏଣିକି ଆକାଉଣ୍ଟରେ ଟଙ୍କା ନ ଥିଲେ ବି ଆପଣ ୟୁପିଆଇ ପେମେଣ୍ଟ କରିପାରିବେ। ଦେଶରେ ଡିଜିଟାଲ ପେମେଣ୍ଟକୁ ଉତ୍ସାହିତ କରିବା ପାଇଁ ରିଜର୍ଭ ବ୍ୟାଙ୍କ ଅଫ ୟୁପିଆଇ ୟୁଜର୍ସଙ୍କ ପାଇଁ କ୍ରେଡିଟ ଲାଇନ ସେବାକୁ ଅନୁମୋଦନ ଦେଇଛି। ୟୁଜର୍ସମାନେ ୟୁପିଆଇ ମାଧ୍ୟମରେ କ୍ରେଡିଟ କାର୍ଡ ପରି ଆକାଉଣ୍ଟରେ ଟଙ୍କା ନ ଥିଲେ ପେମେଣ୍ଟ କରିପାରିବେ ଏବଂ ପରେ ଏହାକୁ ପରିଶୋଧ କରିପାରିବେ।
ୟୁପିଆଇ ନାଓ ପେ ଲାଟର(UPI Now Pay Later) ସୁବିଧା ହେଉଛି ଏକ ପ୍ରକାର କ୍ରେଡିଟ ଲାଇନ, ଯାହା ମାଧ୍ୟମରେ ଆପଣ ଆକାଉଣ୍ଟରେ ଟଙ୍କା ବିନା ୟୁପିଆଇ ପେମେଣ୍ଟ କରିପାରିବେ। ଯେତେବେଳେ ବ୍ୟାଙ୍କ ଆପଣଙ୍କୁ ଏହି ସୁବିଧା ଦେବ ସେତେବେଳେ ଆପଣ ଏହି ଫିଚର ବ୍ୟବହାର କରିପାରିବେ। ଏହି ସୁବିଧା କ୍ରେଡିଟ ସ୍କୋର ଉପରେ ନିର୍ଭରଶୀଳ। ୟୁପିଆଇ ମାଧ୍ୟମରେ ଆପଣଙ୍କର ସଞ୍ଚୟ ଆକାଉଣ୍ଟ ବ୍ୟତୀତ, ଆପଣ ବର୍ତ୍ତମାନ କ୍ରେଡିଟ କାର୍ଡ, ପ୍ରିପେଡ ୱାଲେଟ, ଓଭରଡ୍ରାଫ୍ଟ ଆକାଉଣ୍ଟ ଏବଂ ବର୍ତ୍ତମାନ ୟୁପିଆଇ କ୍ରେଡିଟ ଲାଇନ ମଧ୍ୟ ଲିଙ୍କ କରିପାରିବେ। ଆଇସିଆଇସିଆଇ ପରି ଅନେକ ବ୍ୟାଙ୍କ ମଧ୍ୟ UPI Now Pay Later ସୁବିଧା ଆରମ୍ଭ କରିଛନ୍ତି।
UPI Now Pay Later ଆପଣ ୭,୫୦୦ ରୁ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ କ୍ରେଡିଟ ଲାଇନ ବ୍ୟବହାର କରିପାରିବେ। ଗ୍ରାହକଙ୍କୁ ୪୫ ଦିନ ମଧ୍ୟରେ ଏହି ଟଙ୍କା ଦେବାକୁ ପଡିବ। ଯଦି ଆପଣ ଏହା କରିବାରେ ବିଫଳ ହୁଅନ୍ତି, ତେବେ ଆପଣଙ୍କୁ ବିଳମ୍ବ ଶୁଳ୍କ ସହିତ ୪୨.୮ ପ୍ରତିଶତ ପର୍ଯ୍ୟନ୍ତ ସୁଧ ହାର ଦେବାକୁ ପଡିବ। ଏହି ଦେୟ ଉପରେ ଆପଣଙ୍କୁ ଜିଏସ୍‌ଟିମଧ୍ୟ ଦେବାକୁ ପଡିବ।

‘UPI Now Pay Later’ କିପରି ବ୍ୟବହାର କରିବେ
ଏହି ଫିଚର ବ୍ୟବହାର କରିବାକୁ ଆପଣଙ୍କୁ ମୋବାଇଲ ବ୍ୟାଙ୍କିଙ୍ଗ କିମ୍ବା ବ୍ୟାଙ୍କର ନେଟ ବ୍ୟାଙ୍କିଙ୍ଗ ଖୋଲିବାକୁ ପଡିବ। ଏହା ପରେ ଆପଣଙ୍କୁ ପୂର୍ବ-ଅନୁମୋଦିତ(ଆପ୍ରୁଭ୍‌ଡ ଲୋନ) ଋଣ ବିଭାଗକୁ ଯିବାକୁ ପଡିବ। ଏହା ପରେ ଆପଣ ଏଠାରୁ UPI Now Pay Later ସୁବିଧା ପାଇପାରିବେ। ବିଭିନ୍ନ ବ୍ୟାଙ୍କ ଅନୁଯାୟୀ ଏହି ସୁବିଧା ଭିନ୍ନ ହେବ।

Share