ଅଳିଆରୁ ରୋଜଗାର

ୱାଶିଂଟନ୍‌

ଅଳିଆ ଆମର କୌଣସି କାମରେ ଲାଗି ନ ଥାଏ ବୋଲି ଧାରଣା ରହିଛି। ହେଲେ ଆମେରିକାର ଜଣେ ମହିଳା ପଡ଼ିଶା ଘର ଲୋକଙ୍କ ଅଳିଆରୁ ଅର୍ଥ ରୋଜଗାର କରୁଛନ୍ତି। ଆମେରିକାର ଲୁସିଆନାରେ ରହୁଥିବା ଏମିଲି କହିଛନ୍ତି, ୨ ବର୍ଷ ପୂର୍ବେ ତାଙ୍କ ମୁଣ୍ଡକୁ ଏକ ଉପାୟ ଆସିଥିଲା। ସେ ପ୍ରତିଦିନ ତାଙ୍କ ପଡ଼ୋଶୀଙ୍କ ଅଳିଆକୁ ନେଇଯାଉଥିଲେ। ସେଥିରୁ ବ୍ୟବହୃତ ହୋଇପାରୁଥିବା ଜିନିଷକୁ ସେ କାଢି ନେଉଥିଲେ। ସେ କହିଛନ୍ତି, ତାଙ୍କ ଅଞ୍ଚଳରେ ଲୋକେ ପୁରୁଣା ଜିନିଷକୁ ବର୍ଷକ ମଧ୍ୟରେ ୨ ଥର ଅଳିଆ ଆକାରରେ ପିଙ୍ଗିଦିଅନ୍ତି। ପରେ ଅଳିଆ ଗାଡ଼ି ଆସି ସେହି ଅଳିଆକୁ ନେଇଯାଏ। ହେଲେ ଏମିଲି ଅଳିଆ ଗାଡ଼ି ଆସିବା ପୂର୍ବରୁ ତାଙ୍କ କାମ କରିନିଅନ୍ତି। ସେ ସେହି ଅଳିଆରୁ ବ୍ୟବହୃତ ହୋଇପାରୁଥିବା ଜିନିଷକୁ ଆଣି ନିଜ ଘରେ ତାକୁ ମରାମତି କରିଥାନ୍ତି। ଏମିତି କରି ସେ ପୁରୁଣା ଜିନିଷକୁ ନୂଆ କରି ବିକ୍ରି କରିଦିଅନ୍ତି। ସେ ଚେୟାର, ସୋଫା, ଟେବୁଲ ଆଦି ଜିନିଷକୁ ପୁନଶ୍ଚ ବ୍ୟବହୃତ ଉପଯୋଗୀ କରିଥାନ୍ତି। ସେଥିରୁ ତାଙ୍କର ଭଲ ରୋଜଗାର ମଧ୍ୟ ହୋଇଯାଏ। ସେ ୨ ବର୍ଷ ତଳେ ଯେତେବେଳେ ଏହି କାମ ଆରମ୍ଭ କରିଥିଲେ, ସେତେବେଳେ ସେ ସେଥିରୁ ୮୧ ହଜାର ଟଙ୍କା ରୋଜଗାର କରିଥିବା ଏମିଲି କହିଛନ୍ତି।

Share