Categories: ଜାତୀୟ

ରେଳ ଲାଇନ ଉପରେ ରିଲ କରିବା ପଡିଲା ମହଙ୍ଗା, ଟ୍ରେନ ଧକ୍କାରେ ୩ ନାବାଳକଙ୍କ ମୃତ୍ୟୁ…

ମୁର୍ଶିଦାବାଦ,୨୧।୧୨: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ରେଳ ଲାଇନ ଉପରେ ରିଲ୍‌ କରିବା ପଡିଲା ମହଙ୍ଗା ପଡିଛି। ହଠାତ ଟ୍ରେନ ଆସିଯିବାରୁ ରିଲ ତିଆରି କରିଥିବା ୭ ଜଣ ନାବାଳକଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଦୁଇ ନାବାଳକ ଆହତ ହୋଇଛନ୍ତି। ସୂଚନା ପାଇବା ପରେ ସ୍ଥାନୀୟ ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପଠାଇବା ସହିତ ଅଧିକ ତଦନ୍ତ ଆରମ୍ଭ କରିଛି।

ଏହି ଘଟଣା ମାଲଦା ଡିଭିଜନର ଆଜିମଗଞ୍ଜ-ନ୍ୟୁ ଫରକ୍କା ଡିଭିଜନରେ ଘଟିଛି। ପୂର୍ବାଞ୍ଚଳ ରେଳ ବିଭାଗର ଜଣେ ଅଧିକାରୀଙ୍କ ଅନୁଯାୟୀ ବୁଧବାର ସୁଜନିପାରା ଏବଂ ଆହିରନ ଷ୍ଟେଶନ ମଧ୍ୟରେ ନଦୀ ଉପରେ ଥିବା ରେଳ ଟ୍ରାକ ବ୍ରିଜ ଉପରେ କିଛି ନାବାଳକ ରିଲ୍‌ ତିଆରି କରୁଥିଲେ। ଏହି ସମୟରେ, ଟ୍ରେନ ନମ୍ବର ୧୩୦୫୩ ହାୱଡା-ରାଧିକାପୁର କୁଲିକ ଏକ୍ସପ୍ରେସ ସେହି ଟ୍ରାକ ଦେଇ ଆସିଥିଲା। ନାବାଳକଙ୍କ ମଧ୍ୟରୁ ଦୁଇଜଣ ସଙ୍ଗେ ସଙ୍ଗେ ନଦୀକୁ ଡେଇଁ ଜୀବନ ରକ୍ଷା କରିଥିଲେ, କିନ୍ତୁ ଅନ୍ୟ ପାଞ୍ଚଜଣଙ୍କୁ ଟ୍ରେନ ଧକ୍କା ହୋଇଥିଲେ। ସେମାନଙ୍କ ମଧ୍ୟରୁ ତିନିଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଆହତ ହୋଇଛନ୍ତି। ତେବେ ଏପର୍ଯ୍ୟନ୍ତ ସେମାନଙ୍କୁ ଚିହ୍ନଟ କରାଯାଇ ନାହିଁ।

ନିଜ ଜୀବନକୁ ବିପଦରେ ପକାଇ ରେଳ ଟ୍ରାକରେ ରିଲ ତିଆରି କରିବା ଭୁଲ୍‌। ଏହି କାରଣରୁ ଅନେକ ଦୁର୍ଘଟଣା ଅତୀତରେ ମଧ୍ୟ ଘଟିଛି। ନିକଟରେ, ଡିସେମ୍ବର ୧୫ ରେ, ଉତ୍ତରପ୍ରଦେଶର ଗାଜିଆବାଦରେ ଦୁଇ ଜଣ ଯୁବକ ଏବଂ ଜଣେ ଝିଅଙ୍କର ମୃତ୍ୟୁ ହୋଇଥିଲା। ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଥିଲା ସେମାନେ ମୁସୁରୀ ପୋଲିସ ଷ୍ଟେଶନ ଅଞ୍ଚଳର କାଲୁ ଗୌରୀ ଫାଟକ ନିକଟରେ ରେଳ ଟ୍ରାକରେ ରିଲ ତିଆରି କରିବାକୁ ଆସିଥିଲେ ଏବଂ ଏହି ସମୟରେ ସେମାନେ ଗାଜିଆବାଦରୁ ମୋରାଦାବାଦ ଅଭିମୁଖେ ଯାଉଥିବା ପଦ୍ମାବତ ଏକ୍ସପ୍ରେସ ସହ ଧକ୍କା ଦେଇଥିଲେ।

ପ୍ରାୟ ପାଞ୍ଚ ମାସ ପୂର୍ବେ ମୋରାଦାବାଦରେ ମଧ୍ୟ ଜଣେ ଅଟୋ ଡ୍ରାଇଭର ନିଜ ସାଙ୍ଗମାନଙ୍କ ସହିତ ରେଳ ଟ୍ରାକରେ ରିଲ ତିଆରି କରୁଥିବା ସମୟରେ ଟ୍ରେନ ଧକ୍କାରେ ଜୀବନ ଦେଇଥିଲେ। ତାଙ୍କ ପରିବାର ସଦସ୍ୟ ଅଭିଯୋଗ କରିଥିଲେ ତାଙ୍କୁ ସାଙ୍ଗମାନେ ଟ୍ରେନ ଆଗରେ ଠେଲି ଦେଇଥିଲେ।

Share