ଭୁବନେଶ୍ୱର,୫।୧୨(ବ୍ୟୁରୋ) : ଶୀତ ଆରମ୍ଭରୁ ବିହଙ୍ଗ ଭୂସ୍ବର୍ଗ ମଙ୍ଗଳାଯୋଡ଼ିକୁ ବିଦେଶୀ ପକ୍ଷୀଙ୍କ ଆଗମନ ଆରମ୍ଭ ହୋଇଛି। ପ୍ରଥମଥର ସେଠାରେ ବିରଳ ପ୍ରଜାତିର ‘ମାଲାର୍ଡ’ ପକ୍ଷୀ ଶୁକ୍ରବାର ଠାବ ହୋଇଛି। ବାର୍ଡ ଗାଇଡ୍ ମଧୁ ବେହେରା ଏହି ପକ୍ଷୀଟିକୁ ଦେଖି ତା’ର ଫଟୋ ଉଠାଇଥିଲେ। ଯାଞ୍ଚବେଳେ ଜଣାପଡିଛି ଯେ, ଏହି ପକ୍ଷୀର ବୈଜ୍ଞାନିକ ନାମ ଆନସ ପ୍ଲାଟିରିଙ୍କସ (Anas platyrhynchos)। ଏମାନେ ସାଧାରଣତଃ ଉତ୍ତର ଆମେରିକା ଏବଂ ୟୁରେସିଆ ଅଞ୍ଚଳରେ ଦେଖାଯାଆନ୍ତି। ଆଗରୁ ଅନେକ ଦିନ ତଳେ ଚିଲିକା ନଳ ବଣରେ ଥରେ ଏହି ମାଲାର୍ଡ ପକ୍ଷୀ ଦେଖା ଦେଇଥିଲେ। କିନ୍ତୁ ମଙ୍ଗଳାଯୋଡ଼ିକୁ କେବେ ବି ଆସିଥିବାର ନଜିର ନାହିଁ ବୋଲି ପକ୍ଷୀ ବିଶେଷଜ୍ଞ ଗହର ଆବେଦିନ କହିଛନ୍ତି। ତେବେ ୨୦୧୮ରେ ଭିତରକନିକା ଜାତୀୟ ଉଦ୍ୟାନରେ ମଧ୍ୟ ଏହି ପକ୍ଷୀ ଠାବ ହୋଇଥିଲା।