ମ୍ୟାଲେରିଆ ପୂର୍ବାନୁମାନ କରିବ ପାଣିପାଗ ବିଭାଗ

ଭୁବନେଶ୍ୱର,୧୩।୧୧(ବ୍ୟୁରୋ): ଏଣିକି ମ୍ୟାଲେରିଆ ସଂକ୍ରମଣର ପୂର୍ବାନୁମାନ କରିବ ପାଣିପାଗ ବିଭାଗ। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଓ ଭାରତୀୟ ପାଣିପାଗ ବିଭାଗର ମିଳିତ ଉଦ୍ୟମରେ ଏହି ପ୍ରକଳ୍ପ ହାତକୁ ନିଆଯାଇଛି। ଆସନ୍ତା ମୌସୁମୀରୁ ମ୍ୟାଲେରିଆଜନିତ ପୂର୍ବାନୁମାନ କରାଯିବ ବୋଲି ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।
ସେ କହିଛନ୍ତି, ପାଣିପାଗର ପ୍ରଭାବ ମଣିଷର ସ୍ବାସ୍ଥ୍ୟ ଉପରେ ପଡ଼ିଥାଏ। ପାଣିପାଗ ଦ୍ୱାରା ମ୍ୟାଲେରିଆ ସଂକ୍ରମଣ ବିଶେଷ ଭାବେ ପ୍ରଭାବିତ ହୋଇଥାଏ। ବିଶ୍ଳେଷଣରୁ ଜଣାପଡିଛି ଯେ, ମ୍ୟାଲେରିଆ ବ୍ୟାପିବା ତାପମାତ୍ରା ଉପରେ ନିର୍ଭର କରିଥାଏ। ଗୋଟିଏ ଦିନର ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରା ଅନୁସାରେ ସଂକ୍ରମଣ ବଢ଼ିଥାଏ ବା କମିଥାଏ। ମ୍ୟାଲେରିଆ ପାଇଁ କେଉଁ ତାପମାତ୍ରା ଅଧିକ ଅନୁକୂଳ ହୋଇଥାଏ, ତାହା ଜଣାପଡ଼ିଲେ ହିଁ ଏଥିପ୍ରତି ସତର୍କ ହୋଇପାରିବା। ଏଥିସହ ମ୍ୟାଲେରିଆ କେବେ ହେବାର ଅଛି ବା ମଶାଙ୍କ ସଂଖ୍ୟା କେବେ ବଢ଼ିବ, ତା’ର ପୂର୍ବାନୁମାନ କରିହେବ। ସର୍ବାଧିକ ତାପମାତ୍ରା ୩୩ରୁ ୩୯ ଡିଗ୍ରୀ ଓ ସର୍ବନିମ୍ନ ୧୪ରୁ ୧୯ ଡିଗ୍ରୀ ମଧ୍ୟରେ ମ୍ୟାଲେରିଆ ବ୍ୟାପିଥାଏ। ଏହି ତାପମାତ୍ର ଆଧାରରେ ମ୍ୟାଲେରିଆ ବ୍ୟାପିବା ଜଣାପଡ଼ିବ। ଏ ସମ୍ପର୍କିତ ତଥ୍ୟ ଆମେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟକୁ ଦେଉଛୁ ଓ ତାହା ଉପରେ ସତର୍କତାମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଏହାଦ୍ୱାରା ମ୍ୟାଲେରିଆଜନିତ ମୃତ୍ୟୁ କମ୍‌ କରିପାରିବା। ମ୍ୟାଲେରିଆ ସମ୍ପର୍କିତ ବୁଲେଟିନ୍‌ ପ୍ରତି ଗୁରୁବାର ଭାରତୀୟ ପାଣିପାଗ ବିଭାଗର ୱେବ୍‌ସାଇଟ୍‌ରେ ପ୍ରସାରଣ କରାଯାଉଛି। ଆସନ୍ତା ବର୍ଷଠାରୁ ଏହାକୁ ନିୟମିତ କରାଯିବାର ବ୍ୟବସ୍ଥା ହେବ ବୋଲି ସେ ସୂଚନା ଦେଇଛନ୍ତି।
ୱାଲର୍‌ଡ ମ୍ୟାଲେରିଆ ରିପୋର୍ଟ ୨୦୧୯ ଅନୁଯାୟୀ, ୧୯ ଆଫ୍ରିକୀୟ ଦେଶ ସମେତ ଭାରତ ପ୍ରାୟ ୮୫% ମ୍ୟାଲେରିଆ ବହନ କରନ୍ତି। ଜାତୀୟ ସ୍ବାସ୍ଥ୍ୟ ପୋର୍ଟାଲ(ଏନ୍‌ଏଚ୍‌ପି) ତଥ୍ୟରୁ ଜଣାପଡିଛି ଯେ, ଅଧିକାଂଶ ମ୍ୟାଲେରିଆ ରୋଗ ଦେଶର ପୂର୍ବ ଓ ମଧ୍ୟ ଭାଗ ଏବଂ ଜଙ୍ଗଲ, ପାହାଡ଼ ଘେରା ଆଦିବାସୀ ଅଞ୍ଚଳରେ ବ୍ୟାପିଥାଏ। ତେବେ ମ୍ୟାଲେରିଆ ଆକ୍ରାନ୍ତ ଦେଶଗୁଡ଼ିକ ମଧ୍ୟରୁ କେବଳ ଭାରତ ଏହାର ରୋଗ ଭାର ହ୍ରାସ କରିବାରେ ଅଗ୍ରଗତି କରିଛି ବୋଲି ଏନ୍‌ଏଚ୍‌ପି କହିଛି। ଓଡ଼ିଶା, ଛତିଶଗଡ଼, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ ମ୍ୟାଲେରିଆ ପ୍ରବଣ ରାଜ୍ୟ ଭାବେ ପରିଗଣିତ ହୋଇଥିବାବେଳେ ଏବେ ମହାରାଷ୍ଟ୍ର, ତ୍ରିପୁରା, ମେଘାଳୟ ଓ ମିଜୋରାମକୁ ମଧ୍ୟ ଚିହ୍ନଟ କରାଯାଇଛି।

Share