ଇସ୍ତଫା ଦେଲେ ମାଲେସିଆ ପ୍ରଧାନମନ୍ତ୍ରୀ

କୁଆଲା ଲୁମ୍ପୁରୁ, ୧୬।୮: କ୍ଷମତାରେ ରହିବାର ୧୮ ମାସ ନ ପୂରୁଣୁ ମାଲେସିଆ ପ୍ରଧାନମନ୍ତ୍ରୀ ମୁହିଦ୍ଦିନ ୟାସିନ ସୋମବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ କମ୍‌ ଦିନରେ କ୍ଷମତା ଛାଡ଼ୁଥିବାରୁ ଏଥିପାଇଁ କ୍ଷମା ମାଗିଛନ୍ତି। ତେବେ ଏଥିପାଇଁ ସେ କ୍ଷମତାଲୋଭୀମାନଙ୍କୁ ଦାୟୀ କରିଛନ୍ତି। ପାର୍ଲାମେଣ୍ଟର ନିମ୍ନ ସଦନରେ ସଂଖ୍ୟାଗରିଷ୍ଠତା ହରାଇବାରୁ ମୁହିଦ୍ଦିନଙ୍କୁ ଇସ୍ତଫା ଦେବାକୁ ପଡ଼ିଲା ବୋଲି ଏକ ଟେଲିଭିଜନ ବାର୍ତ୍ତାରେ ସେ କହିଛନ୍ତି। ଶାସନ କାଳରେ ରହିଯାଇଥିବା ଭୁଲ୍‌ ତ୍ରୁଟି ପାଇଁ ସେ କ୍ଷମା ମାଗିଛନ୍ତି। ମହାମାରୀର ସଙ୍କଟ କାଳରେ ସେ ଓ ତାଙ୍କ କ୍ୟାବିନେଟ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଯଥାସମ୍ଭବ ଉଦ୍ୟମ କରିଥିଲେ। କୋଭିଡ୍‌ ଟିକାକରଣ କାର୍ଯ୍ୟକ୍ରମ ଶେଷ ହେବା ଓ ଅର୍ଥନୀତିରେ ସୁଧାର ଆସିବା ପର୍ଯ୍ୟନ୍ତ ସେ କ୍ଷମତାରେ ରହିବେ ବୋଲି ଆଶା କରିଥିଲେ। ତେବେ କ୍ଷମତାଲୋଭୀ ବିରୋଧୀ ଦଳ ତାଙ୍କୁ ଇସ୍ତଫା ଦେବା ଲାଗି ବାଧ୍ୟ କଲା। ତାଙ୍କ ଇସ୍ତଫା ଫଳରେ ଦେଶରେ କୋଭିଡ୍‌-୧୯ ସଙ୍କଟ ଆହୁରି ବଢ଼ିବ ବୋଲି କୁହାଯାଉଛି।

Share