ତେନ୍ତୁଳିଖୁଣ୍ଟି, ୨୩।୨(ଡି.ଏନ୍.ଏ.): ତେନ୍ତୁଳିଖୁଣ୍ଟି ବ୍ଲକ ସଦର ପଞ୍ଚାୟତର ଡଙ୍ଗାସିଲ ରାଜସ୍ବ ଗ୍ରାମର ମାଲବନ୍ଧ ଗ୍ରାମବାସୀ ପାଣି ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି। ଗ୍ରାମଠାରୁ ଅଧା କି.ମି. ଦୂରରେ ରହୁଥିବା ପର୍ବତ ତଳର ଝରୁଥିବା ପାଣିକୁ ବ୍ୟବହାର କରି ନିଜର ଜୀବନ ନିର୍ବାହ କରୁଛନ୍ତି। ସ୍ବାଧୀନତାର ଅମୃତ ମହୋତ୍ସବରେ ନୂଆ ନୂଆ ସ୍ବପ୍ନ ସଜା ଯାଉଥିବାବେଳେ ଏହି ଗାଁ ଲାଗି ସରକାର ନଳକୂପ ଟାଏ କରିପାରିଲେ ନାହିଁ। ବଡ ବଡ ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଏଠାରେ ପଡ଼ି ପାରୁନାହିଁ। ସେହିଭଳି ନିର୍ବାଚନ ପରେ ନିର୍ବାଚନ ଆସୁଛି। ମାତ୍ର ନିର୍ବାଚନ ପାର ହୋଇଗଲେ ନେତା ଓ ଜନ ପ୍ରତିନିଧି ଏହି ଗାଁର ଦୁଃଖ କଥା ଭୁଲି ଯାଉଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସେହିଭଳି ଝରଣା ପାଣି କେତେବେଳେ ଗୋଳିଆ ତ କେତେବେଳେ ଗନ୍ଧଯୁକ୍ତ ଆସୁଛି। ତଥାପି ବାଧ୍ୟ ହୋଇ ତାହାକୁ ବ୍ୟବହାର କରିଛୁ ବୋଲି ଗ୍ରାମବାସୀ କହିଛନ୍ତି। ପ୍ରତ୍ୟେକ ବର୍ଷ ଦୂଷିତ ପାଣି ବ୍ୟବହାର ଯୋଗୁ ଗ୍ରାମବାସୀ ଝାଡ଼ାବାନ୍ତି ସହ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି। ଗ୍ରୀଷ୍ମ ଋତୁରେ ଜଳକଷ୍ଟ ବଢ଼ିଯିବ। ଖରାଦିନ ଝର ପାଣି ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କଲା ପରେ ଗୋଟିଏ ହାଣ୍ଡି ପାଣି ମିଳିଥାଏ ବୋଲି ଗ୍ରାମର ହେଲେ କିଶୋର ନାୟକ, ସଦନ ଯାନୀ, ଯଦୁ ଯାନୀ, ଫୁଲମତି ଯାନୀ, ଜାମୁଲି ଯାନୀ, ମତି ଯାନୀ, ସୁଆତି ଯାନୀ, ରଇବାରି ଯାନୀ, ମୁକୁନ୍ଦ ଯାନୀ, ଡମୁ ଯାନୀ କହିଛନ୍ତି। ଅତିଶୀଘ୍ର ଏଠାରେ ନଳକୂପ ଗୋଟିଏ ଖୋଳିଦେବାକୁ ସେମାନେ ଦାବି କରିଛନ୍ତି।