ବିବାଦ ମଧ୍ୟରେ ନିଜ ମାଟିରୁ ଭାରତୀୟ ସେନାକୁ ଫେରାଇ ନେବାକୁ କହିଲା ମାଳଦ୍ୱୀପ

ନୂଆଦିଲ୍ଲୀ,୧୪।୧: ମାଳଦ୍ଵୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ପୁଣି ଥରେ ଭାରତକୁ ନାଲି ଆଖି ଦେଖାଇଛନ୍ତି। ଚାଇନାରୁ ଫେରିବା ମାତ୍ରେ ୧୫ ମାର୍ଚ୍ଚ ପୂର୍ବରୁ ଭାରତ ଏହାର ସୈନ୍ୟ ମାଳଦ୍ଵୀପରୁ ଫେରାଇ ନେବାକୁ କହିଛନ୍ତି। ଏହାରୁ ପୂର୍ବରୁ ସେ କାହାର ନାଁ ନ ନେଇ କହିଥିଲେ କି ଆମକୁ ଗାଳି ଦେବାର ଅଧିକାର କାହାର ନାହିଁ।

ଗତ କିଛି ବର୍ଷ ହେବ ମାଳଦ୍ଵୀପରେ ଭାରତୀୟ ସେନାର ଏକ ଛୋଟ କମ୍ପାନୀ ମୁତୟନ ଅଛନ୍ତି। ମାଳଦ୍ଵୀପ ସରକାରଙ୍କ ଅନୁରୋଧ କ୍ରମେ ଭାରତ ସରକାର ନିଜର ସୈନ୍ୟ ସେଠାରେ ମୁତୟନ କରିଥିଲେ। ସାମୁଦ୍ରିକ ଉପକୂଳ ସୁରକ୍ଷା ଏବଂ ବିପର୍ଯ୍ୟୟ ସମୟରେ ସାହାଯ୍ୟ ପାଇଁ ଭାରତୀୟ ସେନା ମାଳଦ୍ଵୀପରେ ମୁତୟନ ହୋଇଥିଲା। ଗତବର୍ଷ ନଭେମ୍ବର ମାସରେ ମାଳଦ୍ଵୀପ ରାଷ୍ଟ୍ରପତି କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଥିଲା ଯେ, ତାଙ୍କର ଦେଶ ଆଶା କରୁଛି ଭାରତ ଲୋକମାନଙ୍କର ଲୋକତାନ୍ତ୍ରିକ ଇଛାକୁ ସମ୍ମାନ ଜଣାଇବ।

ମଇଜୁ ଶନିବାର ଚାଇନାରୁ ପାଞ୍ଚ ଦିବସୀୟ ଯାତ୍ରା ସାରି ଫେରିଛନ୍ତି। ବିଦେଶରୁ ଫେରିବା ମାତ୍ରେ ସେ କହିଥିଲେ କି ‘ଆମ ଦେଶ ଛୋଟ ହୋଇପାରେ, କିନ୍ତୁ ଆମକୁ ଗାଳି କରିବାର ଅଧିକାର କାହା ପାଖରେ ନାହିଁ।’ ତେବେ ସେ ସିଧାସଳଖ କାହାର ନାଁ ନେଇ ନଥିଲେ କିନ୍ତୁ କୁହାଯାଉଛି ଯେ, ଭାରତ ଆଡକୁ ଇଙ୍ଗିତ କରି ସେ ଏହା କହିଥିଲେ।

 

 

Share