ଦେଶରୁ ସେନା ଅପସାରଣ କରିବାକୁ ଭାରତକୁ କହିଲା ମାଳଦ୍ଵୀପ

ନୂଆଦିଲ୍ଲୀ,୧୮ା୧୧: ଶପଥ ନେବାର ଗୋଟିଏ ଦିନ ପରେ ମାଳଦ୍ଵୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ଅଫିସରୁ ଭାରତ ସରକାରଙ୍କୁ ଦେଶରୁ ସେନା ଅପସାରଣ କରିନେବାକୁ କୁହାଯାଇଛି। ଶପଥ ଗ୍ରହଣ ଉତ୍ସବରେ ଭାରତ ସରକାରଙ୍କ ପ୍ରତିନିଧି ଭାବେ ମାଳଦ୍ଵୀପରେ ପହଞ୍ଚିଥିବା କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁଙ୍କୁ ମହମ୍ମଦ ମୁଇଜୁଙ୍କୁ ଭେଟିବା ସମୟରେ ଏହି ଅନୁରୋଧ କରିଥିଲେ।

ଦେଶରୁ ବିଦେଶୀ ସେନାକୁ ପ୍ରତ୍ୟାହାର କରାଇବା ମୁଇଜୁଙ୍କ ନିର୍ବାଚନୀ ଏଜେଣ୍ଡା ଗୁଡିକ ମଧ୍ୟରୁ ଏକ ମୁଖ୍ୟ ପ୍ରତିଶ୍ରୁତି ଥିଲା ଏବଂ ସେ ଶୁକ୍ରବାର ଦିନ ଶପଥ ଗ୍ରହଣ କରିବା ପରେ ଦେଶକୁ ଦେଇଥିବା ପ୍ରଥମ ଭାଷଣରେ ଏଥିପାଇଁ ସଂକଳ୍ପବଦ୍ଧ ବୋଲି କହିଥିଲେ।

ଶପଥ ଗ୍ରହଣ ସମାବେଶରେ ମୁଇଜୁ ଭାରତର ନାଁ, ନ ନେଇ କହିଥିଲେ ଯେ, ମାଳଦ୍ଵୀପ ଏହାର ଭୂମିରେ କୌଣସି ଦେଶର ସେନା ଉପସ୍ଥିତି ଚାହୁଁନାହିଁ। ତେବେ ସୁରକ୍ଷା ଦିଗ ଦେଖିଲେ, ମୁଁ ଏଥିପାଇଁ ଏକ ନାଲି ଗାଁର ଟାଣିବି। ଆଉ ମାଳଦ୍ଵୀପ ଏହି ନାଲି ରେଖାକୁ ସମ୍ମାନ କରେ, ଅନ୍ୟ ଦେଶମାନେ ମଧ୍ୟ ଏହା କରିବା ଉଚିତ ବୋଲି ସେ କହିଥିଲେ।

ମହମ୍ମଦ ମୁଇଜୁଙ୍କୁ ଚାଇନା ସପକ୍ଷବାଦୀ ଭାବରେ ବିବେଚନା କରାଯାଏ। ତେବେ ନିର୍ବାଚିତ ହେବା ପରେ ସେ କହିଥିଲେ ଯେ, ମାଳଦ୍ଵୀପ ଏକ ଛୋଟ ଦେଶ ତେଣୁ ଏହା ଭାରତ ଏବଂ ଚାଇନା ମଧ୍ୟରେ କାହାପ୍ରତି ଢାଳିବାକୁ ଚାହୁନାହିଁ ଏବଂ କୂଟନୈତିକ ରାଜନୀତିରେ ଫସିବାକୁ ଚାହୁଁନାହିଁ।

Share