ମାଳଦ୍ୱୀପ ରାଷ୍ଟ୍ରପତି ନିର୍ବାଚନ: ରାଜନୈତିକ ପ୍ରସଙ୍ଗ ‘ଭାରତ’

ମାଲେ,୮।୯: ହିନ୍ଦ୍‌ ମହାସାଗରସ୍ଥିତ ମାଳଦ୍ୱୀପରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ଶନିବାର ଅନୁଷ୍ଠିତ ହେବ। ଏହା ପୂର୍ବରୁ ପ୍ରଚାର ପ୍ରସ୍ତୁତି ଶେଷ ହୋଇଛି। ସମସ୍ତ ପ୍ରାର୍ଥୀ ଭୋଟରଙ୍କୁ ଆପର୍ଷିତ କରିବା ପାଇଁ ଯଥାସମ୍ଭ ଚେଷ୍ଟା କରିଛନ୍ତି। ରାଷ୍ଟ୍ରପତି ନିର୍ବାଚନ ପାଇଁ ମୋଟ ୮ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ତେବେ ବର୍ତ୍ତମାନର ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିହ ଏବଂ ବିରୋଧୀ ଦଳର ନେତା ଡକ୍ଟର ମହମ୍ମଦ ମୁଇଜୋଙ୍କ ମଧ୍ୟରେ ରାଷ୍ଟ୍ରପତି ପଦ ପାଇଁ କଡା ମୁକାବିଲା ହେବାକୁ ଯାଉଛି। ଚାଇନା ସମର୍ଥକ ତଥା ପୂର୍ବତନ ରାଷ୍ଟ୍ରପତି ଅବଦୁଲ୍ଲା ୟାମିନ ଜେଲରେ ଥିବାରୁ ଏଥର ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ରାଷ୍ଟ୍ରପତି ଇବ୍ରାହିମ ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଲଢୁଛନ୍ତି। ତାଙ୍କର ‘ଇଣ୍ଡିଆ ଫାଷ୍ଟ’ ଅର୍ଥାତ୍‌ ସେ ଭାରତକୁ ସବୁ କ୍ଷେତ୍ରରେ ଏପରିକି ଆଭ୍ୟନ୍ତରୀଣ ମାମଲାରେ ସମର୍ଥନ କରୁଥିବାରୁ ଦେଶର ରାଜନୈତିକ ଆଲୋଚନାରେ ସେ ସମାଲୋଚିତ ହେଉଛନ୍ତି।

ଶାସକ ମାଳଦ୍ୱୀପ ଡେମୋକ୍ରାଟିକ ପାର୍ଟି (ଏମଡିପି)ର ନେତା ଇବ୍ରାହିମ ମହମ୍ମଦ ସୋଲିହ ୨୦୧୮ର ମାଳଦ୍ୱୀପର ରାଷ୍ଟ୍ରପତି ହୋଇଥିଲେ। ସେବେଠାରୁ ତାଙ୍କ ପାର୍ଟି ତାଙ୍କୁ ଦୃଢ ସମର୍ଥନ କରି ଆସୁଛି। ଏହି କାରଣରୁ ତାଙ୍କର ଘନିଷ୍ଠ ବନ୍ଧୁ ତଥା ବିଶ୍ୱାସୀ ମହମ୍ମଦ ନାସିଦ ମଧ୍ୟ ଦଳ ଛାଡିଛନ୍ତି। ମାଳଦ୍ୱୀପ ନିର୍ବାଚନକୁ ନେଇ ଭାରତ ସାର୍ବଜନିକ ଭାବେ ନିରବ ରହିବାର ରାସ୍ତା ଆପଣେଇଛି । ତେବେ ଦେଶରେ କିଛି ମେଗା କନେକ୍ଟିଭିଟି ପ୍ରୋଜେକ୍ଟର ବିକାଶରେ ଅନୁଦାନ ଏବଂ ସହାୟତା ଯୋଗାଇଛି ଭାରତ। କେବଳ ଏତିକି ନୁହେଁ, ମାଲଦ୍ୱୀପର ଉପକୂଳବର୍ତ୍ତୀ ଅଞ୍ଚଳରେ ନଜର ରଖିବା ପାଇଁ ଭାରତ ଡର୍ନିୟର ବିମାନ ସହିତ ହେଲିକପ୍ଟର ମଧ୍ୟ ଯୋଗାଇଛି।

ଇବ୍ରାହିମ ପ୍ରୋଗେସିଭ ପାର୍ଟି ଅଫ୍‌ ମାଳଦ୍ୱୀପକୁ(ପିପିଏମ) ର ନେତା ଅବଦୁଲ୍ଲା ୟାମିନଙ୍କୁ ନିର୍ବାଚନରେ ପରାସ୍ତ କରି କ୍ଷମତାକୁ ଆସିଥିଲେ। ଦୁର୍ନୀତି ଏବଂ ଅର୍ଥ ହଡପ ଅଭିଯୋଗରେ ୟାମିନ ଜେଲ ଦଣ୍ଡ ଭୋଗୁଛନ୍ତି। କେତେକ ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପରେ ଚାଇନାକୁ ଅନୁମତି ଦେବାରେ ନିୟମ ପାଳନ କରି ନ ଥିଲେ। କେବଳ ଏତିକି ନୁହେଁ ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ମଧ୍ୟ ରହିଛି। ଏହି କାରଣରୁ ମାଳଦ୍ୱୀପ କରଜରେ ବୁଡିଗଲା। ଏଭଳି ପରିସ୍ଥିତିରେ ୟାମିନଙ୍କ ପ୍ରୋଗେସିଭ ପାର୍ଟି ଅଫ୍‌ ମାଳଦ୍ୱୀପ, ପ୍ରୋଗେସିଭ ନାଶନାଲ କଂଗେସ ସହ ହାତ ମିଳାଇଛି। ବିରୋଧୀ ମେଣ୍ଟ ମହମ୍ମଦ ମୁଇଜୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଚୟନ କରିଛନ୍ତି।

Share