ନୂଆଦିଲ୍ଲୀ, ୨୧।୧୧: ମାଳଦ୍ୱୀପ ଏବେ ଚାଇନା ଋଣ ଜାଲରେ ଛନ୍ଦି ହୋଇ ପଡ଼ିଛି। ଆମେ ଆମ ଜେଜେମା’ମାନଙ୍କର ଗହଣା ବିକିଲେ ମଧ୍ୟ ତାହାକୁ ପରିଶୋଧ କରିପାରିବା ନାହିଁ ବୋଲି ଦେଶର ପୂର୍ବତନ ରାଷ୍ଟ୍ରପତି ତଥା ପାର୍ଲାମେଣ୍ଟ ବାଚସ୍ପତି ମହମ୍ମଦ ନଶିଦ୍ କହିବା ସହ ବେଜିଂକୁ ସମାଲୋଚନା କରିଛନ୍ତି। ଏହି ଦ୍ୱୀପଦେଶ ଉପରେ ୩୫୦ କୋଟି ଡଲାର ଚାଇନା ଋଣର ବୋଝ। ଦେଶର ବାର୍ଷିକ ବଜେଟ ଚୂଡ଼ାନ୍ତ କରିବା ଅବସରରେ ନଶିଦ ଏହା କହିଛନ୍ତି। ୨୦୨୧ ବର୍ଷରେ ସରକାରୀ ରାଜସ୍ବର ୫୩ ପ୍ରତିଶତ ଋଣ ପରିଶୋଧରେ ବିନିଯୋଗ ହେବାକୁ ଥିବାବେଳେ ସେଥିରୁ ୮୦ ପ୍ରତିଶତରୁ ଅଧିକ କେବଳ ଚାଇନାକୁ ପୈଠ କରାଯିବ। ଚାଇନା ସରକାରଙ୍କଠାରୁ ସିଧାସଳଖ ଋଣ ଆସିଥିବାବେଳେ ସୋଭରେନ୍ ଗ୍ୟାରେଣ୍ଟି ଜରିଆରେ ସରକାର ଘରୋଇ ଋଣ ଆଣିଛନ୍ତି। ବେଜିଂର ଋଣ କୂଟନୀତିରେ ବିଭିନ୍ନ ଦେଶ ସେମାନଙ୍କର ସାର୍ବଭୌମତ୍ୱ ହରାଇବାକୁ ବାଧ୍ୟ ହେଉଛନ୍ତି। ଏନେଇ ଗତ ଜୁଲାଇ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଡୋଶୀ ଦେଶଗୁଡ଼ିକୁ ସତର୍କ କରାଇ ଦେଇଥିଲେ।