ଶେଷରେ ଭାରତ ଭରସାରେ ମାଳଦ୍ଵୀପ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ କରିବ ‘ରୋଡ ଶୋ’

ନୂଆଦିଲ୍ଲୀ,୧୨।୪: ଭାରତ ସହ ସମ୍ପର୍କକୁ ତିକ୍ତ କରି ମାଳଦ୍ଵୀପ ନିଜ ପାଦରେ ନିଜେ କୁରାଢ଼ୀ ମାରିଛି। ମାଳଦ୍ଵୀପରେ ଭାରତୀୟ ପର୍ଯ୍ୟଟକଙ୍କ ସଂଖ୍ୟା ଆଶ୍ଚର୍ଯ୍ୟଜନକ ଭାବେ ହ୍ରାସ ପାଇଛି। ଏହା ମାଳଦ୍ଵୀପର ଅର୍ଥନୀତି ଉପରେ ପ୍ରଭାବ ପକାଉଛି। ବର୍ତ୍ତମାନ ମାଳଦ୍ଵୀପର ଏକ ବଡ ପର୍ଯ୍ୟଟନ ସଂଗଠନ ଭାରତୀୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଭାରତର ବଡ ସହରରେ ରୋଡ୍ ସୋ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି। ଯାହାଦ୍ୱାରା ମାଳଦ୍ଵୀପ ବିଷୟରେ ଭାରତୀୟ ପର୍ଯ୍ୟଟକଙ୍କ ମଧ୍ୟରେ ଧାରଣା ପରିବର୍ତ୍ତନ ହୋଇପାରିବ ଏବଂ ସେମାନେ ପୁଣି ଥରେ ମାଳଦ୍ଵୀପ ପରିଦର୍ଶନ କରିବାକୁ ଇଛା ପ୍ରକାଶ କରିବେ।

ଏଠାରେ ଉଲ୍ଲେଖଯୋଗ୍ୟ ଚାରିପାଖରେ ସମୁଦ୍ର ଘେରି ରହିଥିବାରୁ ପର୍ଯ୍ୟଟନ ହେଉଛି ମାଳଦ୍ୱୀପର ଅର୍ଥନୀତିର ମୂଳଦୁଆ। ବହୁ ସଂଖ୍ୟକ ଭାରତୀୟ ଛୁଟିଦିନ ଅନାଇବାକୁ ପାଇଁ ଏଠାକୁ ଯାଆନ୍ତି। କିନ୍ତୁ ଯେତେବେଳେ ରାଷ୍ଟ୍ରପତି ମୁଇଜୁ ତାଙ୍କ ନିର୍ବାଚନ ପ୍ରଚାରରେ ‘ଇଣ୍ଡିଆ ଆଉଟ୍’ ସ୍ଲୋଗାନ ଦେଇଥିଲେ ସେତେବେଳେ ଏହି ପରିସ୍ଥିତି ବଦଳିଗଲା। ଏହା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ବିଗିଡିବାରେ ଲାଗିଲା। ଭାରତୀୟ ସୈନିକମାନଙ୍କୁ ତାଙ୍କ ସ୍ଥାନରୁ ବହିଷ୍କାର କରିବାକୁ ମଧ୍ୟ ମାଲଦ୍ୱୀପ ନିର୍ଦ୍ଦେଶ ଦେଇଛନ୍ତି। ଏହି ସୈନିକମାନେ ସେଠାରେ ସାଧାରଣ ନାଗରିକ କାର୍ଯ୍ୟରେ ନିୟୋଜିତ ଥିଲେ।

କିଛି ସପ୍ତାହ ପରେ ପ୍ରଧାନମନ୍ତ୍ରୀ ମୋଦୀ ଭାରତର ଲାକ୍ଷାଦ୍ଵୀପ ଫଟୋ ପୋଷ୍ଟ କରିଥିଲେ। ଏହା ପରେ ସୋସିଆଲ ମିଡିଆରେ ଲାକ୍ଷାଦ୍ଵୀପ ଏବଂ ମାଲଦ୍ୱୀପ ମଧ୍ୟରେ ତୁଳନା ଆରମ୍ଭ ହୋଇଥିଲା। ଏହା ପରେ ମାଳଦ୍ୱୀପର ଅନେକ ମନ୍ତ୍ରୀଙ୍କ ସମେତ କିଛି ଅଧିକାରୀ ଭାରତ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିଲେ।

ଏହା ପରେ ମାଲଦ୍ୱୀପକୁ ଯାଉଥିବା ଭାରତୀୟ ପର୍ଯ୍ୟଟକଙ୍କ ସଂଖ୍ୟାରେ ଯଥେଷ୍ଟ ହ୍ରାସ ଘଟିଥିଲା। ବର୍ତ୍ତମାନ ମାଲଦ୍ୱୀପ ଏହି କ୍ଷତିର ଭରଣା ପାଇଁ ପଦକ୍ଷେପ ନେଉଛି ଏବଂ ଭାରତ ସହ ସମ୍ପର୍କକୁ ସୁଦୃଢ଼କରିବାକୁ ଚେଷ୍ଟା କରୁଛି।

ଏପ୍ରିଲରେ 8 ରେ ଭାରତୀୟ ହାଇ କମିଶନରଙ୍କ ସହ ଆଲୋଚନା ପରେ ମାଲଦ୍ୱୀପ ଆସୋସିଏସନ୍ ଅଫ୍ ଟ୍ରାଭେଲ ଏଜେଣ୍ଟ ଏବଂ ଟୁର୍ ଅପରେଟର୍ସ (MATATO) ଭାରତର ବିଭିନ୍ନ ସହରରେ ରୋଡ୍ ସୋ ଆୟୋଜନ ସହିତ ଯାତ୍ରା ଏବଂ ପର୍ଯ୍ୟଟନ ସହଯୋଗକୁ ବଢାଇବାକୁ ଯୋଜନା କରିଛି।

Share