Categories: ଖେଳ

ବିଶ୍ୱ ବିଜେତା ଭାରତୀୟ ଦଳକୁ ମିଳିଲା ମାଳଦ୍ୱୀପର ନିମନ୍ତ୍ରଣ

ମାଲେ,୮ା୭: ଟି୨୦ କ୍ରିକେଟ ବିଶ୍ୱକପ ବିଜେତା ଭାରତୀୟ ଦଳକୁ ମାଳଦ୍ୱୀପ ଆମନ୍ତ୍ରଣ କରାଯାଇଛି। ଭାରତର ବିଶ୍ୱକପ ବିଜୟକୁ ସେଲିବ୍ରେଟ କରିବା ପାଇଁ ମାଳଦ୍ୱୀପର ପର୍ଯ୍ୟଟନ ବିଭାଗ ଓ ମାର୍କେଟିଂ ଆଣ୍ଡ ପବ୍ଲିକ ରିଲେଶନ କର୍ପୋରେଶନ ପକ୍ଷରୁ ନିମନ୍ତ୍ରଣ ମିଳିଛି।

ଜୁନ୍‌ ୨୯ ତାରିଖରେ ବାର୍ବାଡୋସରେ ଖେଳା ଯାଇଥିବା ଫାଇନାଲରେ ରୋହିତ ଶର୍ମାଙ୍କ ଦଳ ଦକ୍ଷିଣ ଆଫ୍ରିକାକୁ ୭ ରନ୍‌ରେ ହରାଇ ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିଲା। ଭାରତୀୟ ଦଳକୁ ଦିଲ୍ଲୀ ଓ ମୁମ୍ବାଇରେ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ମୁମ୍ବାଇରେ ଅନୁଷ୍ଠିତ ବିଜୟ ପରେଡ୍‌ରେ ଲକ୍ଷାଧିକ ଲୋକ ଭାଗ ନେଇଥିଲେ।

ମାଲଡିଭ୍‌ସ ମାର୍କେଟିଂ ଆଣ୍ଡ ପବ୍ଲିକ୍‌ ରିଲେସନ୍ସ କର୍ପୋରେସନ୍‌ (ଏମ୍‌ଏମ୍‌ପିଆରସି) ଓ ମାଲଡିଭ୍‌ସ ଆସୋସିଏଶନ ଅଫ ଟୁରିଜିମ୍‌ ଇଣ୍ଡଷ୍ଟ୍ରି(ଏମ୍‌ଏଟିଆଇ) ପକ୍ଷରୁ ମିଳିତ ଭାବରେ ଭାରତୀୟ କ୍ରିକେଟ ଦଳକୁ ଏହି ନିମନ୍ତ୍ରଣ କରାଯାଇଛି।

ଏମ୍‌ଏମ୍‌ପିଆରସି ସିଇଓ ଓ ପରିଚାଳନା ନିର୍ଦ୍ଦୋକ ଇବ୍ରାହିମ୍‌ ଶିଉରି ଓ ଏମ୍‌ଏଟିଆଇର ମହାସଚିବ ଅହମଦ୍‌ ନାଜିର ଆମନ୍ତ୍ରଣ ଦେବା ସହ ଭାରତୀୟ ଦଳର ସ୍ବାଗତ ପାଇଁ ପ୍ରସ୍ତୁତ ଥିବା କହିଛନ୍ତି। ଭାରତୀୟ ଦଳକୁ ସ୍ବାଗତ କରିବା ସେମାନଙ୍କ ପାଇଁ ସମ୍ମାନର ବିଷୟ ହେବ ବୋଲି ଉଭୟ ମିଳିତ ବିବୃତ୍ତି ମଧ୍ୟ ଦେଇଛନ୍ତି। ଭାରତୀୟ ଖେଳାଳିମାନେ ବର୍ତ୍ତମାନ ବିଶ୍ରାମ ନେଉଥିବା ବେଳେ ଜୁଲାଇ ୨୭ରେ ଶ୍ରୀଲଙ୍କା ସିରିଜ ପାଇଁ ଆକ୍ସନରେ ନଜର ଆସିବେ ଏହି ସିରିଜରେ ଭାରତ ୩ଟି ଲେଖାଏ ଦିନିକିଆ ଓ ଟି୨୦ ମ୍ୟାଚ୍‌ ଖେଳିବ।

Share