ଏଏନଏମଙ୍କୁ ମରଣାନ୍ତକ ଆକ୍ରମଣ ପରେ ନିଜେ ଆତ୍ମହତ୍ୟା କଲେ ପୁରୁଷ ବନ୍ଧୁ, କାରଣ ଖୋଜୁଛି ପୋଲିସ

ବାଲିଗୁଡ଼ା, ୨୩।୯: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୁଆଗାଁ ଥାନା କୁଡ଼ୁତୁଲିରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ଏଏନଏମଙ୍କୁ ମରଣାନ୍ତକ ଆକ୍ରମଣ ପରେ ଏଏନଏମଙ୍କ କ୍ୱାର୍ଟର ଭିତରେ ଏଏନଏମଙ୍କ ଓଢଣୀ ଲଗାଇ ପୁରୁଷ ବନ୍ଧୁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇବା ସହ ଏଏନଏମଙ୍କୁ ଗୁରୁତର ଅବସ୍ଥାରେ କ.ନୁଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଛି । ମୃତକ ଜଣକ ଭୁବନେଶ୍ୱର ବନମାଳୀପୁର ଅଞ୍ଚଳର ଜଗନ୍ନାଥ ବେହେରା ବୋଲି ସୂଚନା ମିଳିଛି । ତେବେ ପୁରୁଷ ବନ୍ଧୁ ଜଣଙ୍କ ସହ ଏଏନଏମଙ୍କ କ’ଣ ସମ୍ପର୍କ ଥିଲା ଏବଂ ସେ କାହିଁକି ଏଠାକୁ ଆସିଥିଲେ ? ଅନ୍ୟପଟେ କ’ଣ ଏମିତି ଘଟିଲା ଯେ ଜଗନ୍ନାଥ ଏଏନଏମଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ଏବଂ ସେ ନିଜେ ନିଜ ଜୀବନ କାହିଁକି ହାରିଲେ । ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ସମସ୍ତ ତଥ୍ୟକୁ ନେଇ କ.ନୁଆଗାଁ ପୋଲିସ ଛାନଭିନ ଚଳାଇଛି । ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚିି ଅଧିକ ତଦନ୍ତ କରିଥିବା ବେଳେ ମୃତକଙ୍କ ପରିବାର ଲୋକେ ମଧ୍ୟ କ.ନୁଆଗାଁ ଥାନାରେ ପହଞ୍ଚିିଛନ୍ତି । ସେପଟେ ଘଟଣା ସମ୍ପର୍କରେ ଏଏନଏମ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି । ଘଟଣାର ତଦନ୍ତ ସରିବା ପରେ ଘଟଣାର ପ୍ରକୃତ ରହସ୍ୟ ସାମ୍ନାକୁ ଆସିବ ବୋଲି କ. ନୂଆଗାଁ ପୋଲିସ ପ୍ରକାଶ କରିଛି ।