ମକ୍କା,୧୪।୧୦: ହଜ୍ ଯାତ୍ରାରେ ଯାଉଥିବା ମହିଳା ତୀର୍ଥଯାତ୍ରୀଙ୍କ ସହ ପୁରୁଷ ଅଭିଭାବକ ଯିବା ଆଉ ଆବଶ୍ୟକ ପଡ଼ିବ ନାହିଁ। ସାଉଦି ଆରବ ଆସୁଥିବା ମହିଳାମାନେ ଏଣିକି ବିନା ପୁରୁଷ ଅଭିଭାବକରେ ହଜ୍ ଯାତ୍ରା କରିପାରିବେ ବୋଲି ହଜ୍ ମନ୍ତ୍ରୀ ତାଓ୍ବଫିକ୍ ବିନ୍ ଫଓ୍ଜାନ ଅଲ୍ ରବିୟାହ ଏକ ଖବରଦାତା ସମ୍ମିଳନୀରେ ଘୋଷଣା କରିଛନ୍ତି।
ପୂର୍ବରୁ ମହିଳା ହଜ୍ଯାତ୍ରୀଙ୍କ ସାଙ୍ଗରେ ପୁରୁଷ ଅଭିଭାବକ ଯିବା ବାଧ୍ୟତାମୂଳକ କରାଯାଇଥିଲା। ଫଳରେ ଯାତ୍ରୀଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଥିଲା। ଏପରି କି ମହିଳା ଯାତ୍ରୀଙ୍କୁ ପୁରୁଷ ଅଭିଭାବକ ଯୋଗାଡ଼ କରିବାରେ ସମସ୍ୟା ହେଉଥିଲା। ହଜ୍ ଯିବାକୁ ଇଚ୍ଛା ଥିଲେ ମଧ୍ୟ ଅନେକ ମହିଳା ସାମିଲ ହୋଇପାରୁ ନ ଥିଲେ। ଅନ୍ୟପକ୍ଷେ ମହିଳା ଯାତ୍ରୀଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ପ୍ରଦାନ କରାଯିବ। ଏପରି କି ତାଙ୍କୁ ଯେପରି କେହି ହଇରାଣ ନ କରନ୍ତି ସେନେଇ ଆଣ୍ଟି ହାରାସମେଣ୍ଟ ସିଷ୍ଟମ୍ ବ୍ୟବସ୍ଥା କରାଯିବ।