କାଳିଆପାଣି,୨୮ା୪(ଡି.ଏନ.ଏ.): ଯାଜପୁର ଜିଲା ସୁକିନ୍ଦା ବ୍ଲକ୍ ଅଧୀନ କାଳିଆପାଣି ଖଣି ଅଞ୍ଚଳ କଅଁସ ପଞ୍ଚାୟତ ବିଟସାହି ଉପରମୁଣ୍ଡ ବୁଦୁବୁଦିଆ ଜଙ୍ଗଲ କଡ଼ରେ ଚାଳଛପର, ଛିଣ୍ଡା ଜରିପାଲରେ ଝୁମ୍ପୁଡ଼ି କରି ବସବାସ କରୁଛନ୍ତି ମହ୍ଲାର ସମ୍ପ୍ରଦାୟ। ହେଲେ ସେମାନଙ୍କ ଭାଗ୍ୟ ବଦଳୁନାହିଁ। ସେମାନଙ୍କ ଅବସ୍ଥା ଅତି ଦୟନୀୟ ହୋଇପଡ଼ିଛି। ଝୁଣା, ମହୁ ଓ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ଜୀବନଜୀବିକା ନିର୍ବାହ କରୁଥିବା ଏହି ପ୍ରକୃତି ପ୍ରେମୀ ମହ୍ଲାର ଜନଜାତି ସମ୍ପ୍ରଦାୟ ଅତି ସରଳ, ନିରୀହ ଓ ନିଷ୍କପଟ ମଣିଷ ଭାବେ ବେଶ ଜଣାଶୁଣା। ସେମାନଙ୍କୁ ସୁକିନ୍ଦା ସୌରିକ ଅଞ୍ଚଳର ମୂଳଦାୟାଦ ଭାବେ କହିଲେ ଅତ୍ୟୁକ୍ତି ହେବନାହିଁ। ଖଣିପାଇଁ ଜୀବନଜୀବିକା ବଂଶଜ ସବୁ ଉଜୁଡ଼ିଯାଇଥିବାବେଳେ କେବଳ ଜଙ୍ଗଲକୁ ଭଲପାଇ ସେମାନେ ବଞ୍ଚତ୍ ରହିଛନ୍ତି। ଏବେ କେତୋଟି ହାତଗଣତି ମହ୍ଲାର ପରିବାର ରହିଛନ୍ତି। ଅନାହାର, ଅପପୁଷ୍ଟି ଓ ଦୁରାରୋଗ୍ୟବ୍ୟାଧିରେ ଶିକାର ହୋଇ ଏଜାତି ସୁକିନ୍ଦାରୁ ଲୋପ ପାଇବାରେ ଲାଗିଛି। ଖଣି ଆରମ୍ଭ ପୂର୍ବରୁ ରଁାସୋଳ ପଞ୍ଚାୟତ (ଏବେର ଟାଟା ମୁଖ୍ୟ ଫାଟକ ସମ୍ମୁଖ)ରେ ୫୦ରୁ ଊର୍ଦ୍ଧ୍ୱ ପରିବାର ଘର କରି ଚଳି ଆସୁଥିଲେ। ଖଣିଜ ସମ୍ପଦ ଗଚ୍ଛିତ ଥିବା ସ୍ଥାନ ସର୍ବେକ୍ଷଣ ଓ ସଂସ୍ଥା ଚି଼ହ୍ନଟବେଳେ ବିଭିନ୍ନ ରାଜ୍ୟରୁ ଅଣଓଡ଼ିଆ କର୍ମଚାରୀ ଅଞ୍ଚଳକୁ ଯେତେବେଳେ ଆସିଥିଲେ ସେତେବେଳେ ଘଞ୍ଚ ଜଙ୍ଗଲ ସହିତ ହିଂସ୍ର ଜନ୍ତୁଙ୍କର ଭୟ ରହିଥିଲା। ତେଣୁ ଜଙ୍ଗଲରେ ରହିବାର କୌଣସି ଭରସା ନ ଥିବାରୁ ସେମାନେ ମହ୍ଲାରଙ୍କ ବାସସ୍ଥାନ ସଂଲଗ୍ନରେ ତମ୍ବୁ ପକାଇ ରହି ଅଞ୍ଚଳରେ ଗଚ୍ଛିତ ଥିବା କ୍ରୋମାଇଟର ସନ୍ଧାନ କରିଥିଲେ। ସମୟ ପରିବର୍ତ୍ତନ ସହ ତାଙ୍କ ଜାଗାରେ ମାଙ୍କେଡ଼ିଆ ଏବେ ସ୍ଥାୟୀ ଅଧିବାସୀ। ଆଉ କିଛି ବାହାର ଅଞ୍ଚଳ ଲୋକଙ୍କ ଦ୍ୱାରା ଉକ୍ତ ସ୍ଥାନ ଜବରଦଖଲ ହୋଇଛି। ଏଠାରେ ସେମାନେ ଘର ନିର୍ମାଣ ସହ ସ୍ଥାୟୀ ଅଧିବାସୀଭାବେ ନିଜକୁ ସାବ୍ୟସ୍ତ କରୁଛନ୍ତି। ଚିଙ୍ଗୁଡ଼ିପାଳ ଓ କଅଁସଠାରେ ଏବେ ବଞ୍ଚତ୍ ରହିଥିବା ୨୦ରୁ୨୫ ପରିବାରଙ୍କ ଅବସ୍ଥା ଯେ, କେହି ନ ଦେଖିଲେ ବିଶ୍ୱାସ କରିପାରିବେ ନାହିଁ। ସେଥିରୁ କଅଁସଠାରେ ଥିବା ୮-୧୦ଟି ପରିବାରଙ୍କ ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଛି। ଏଠାରେ ଥିବା ୮୦ ବର୍ଷୀୟା ଲଳିତା ଦେହୁରି ଓ ୭୦ ବାର୍ଷୀୟା ସଉରୀ ପଧାନଙ୍କୁ ଏ ପର୍ଯ୍ୟନ୍ତ କୌଣସି ସରକାରୀ ସୁବିଧା କିମ୍ବା ବାର୍ଦ୍ଧକ୍ୟ ଭତ୍ତା ମିଳିପାରିନାହିଁ। ମାତ୍ର ୪ ପରିବାରକୁ କେବଳ ଚାଉଳ ୧୦ କେଜି ଲେଖାଏ ମିଳୁଛି। ଆହୁରି ଅନେକ ଲୋକ ସରକାରୀ ସହାୟତା ଅପେକ୍ଷାରେ ଭୋକ ଉପାସରେ ରହିଛନ୍ତି। ତେଣୁ ସେମାନଙ୍କ ସମସ୍ୟା ପ୍ରତି ଜିଲା ପ୍ରଶାସନ ଦୃଷ୍ଟିଦେବାକୁ ଦାବି ହୋଇଛି। ଏ ସମ୍ପର୍କରେ ପ୍ରତିକ୍ରିୟା ପାଇଁ ବିଡିଓ ନମ୍ରତା ମୋଦିଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।