Categories: ଖେଳ

ପ୍ରଥମ କେତୋଟି ମ୍ୟାଚ ଖେଳି ନ ପାରନ୍ତି ମାଲିଙ୍ଗା

ନୂଆଦିଲ୍ଲୀ, ୨୨ା୮ (ପି.ଟି.)- ବ୍ୟକ୍ତିଗତ କାରଣରୁ ଆସନ୍ତା ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ପ୍ରଥମ କେତୋଟି ମ୍ୟାଚ୍‌ ଲାଗି ଉପଲବ୍ଧ ହୋଇ ନ ପାରନ୍ତି ଶ୍ରୀଲଙ୍କାର ଭେଟେରାନ ପେସ୍‌ ବୋଲର ଲସିଥ୍‌ ମାଲିଙ୍ଗା। ଖବର ଅନୁସାରେ ମାଲିଙ୍ଗାଙ୍କ ପିତା କିଛିଦିନ ହେଲା ଅସୁସ୍ଥ ଅଛନ୍ତି। ନିକଟରେ ତାଙ୍କର ଅସ୍ତ୍ରୋପଚାର ଆବଶ୍ୟକ ପଡ଼ିପାରେ। ପୁରୁଖା ଫାଷ୍ଟ ବୋଲର ଉଭୟ ଶ୍ରୀଲଙ୍କା ଏବଂ ତାଙ୍କ ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ପାଇଁ ଅନେକଥର ମ୍ୟାଚ ବିଜୟୀ ଖେଳ ପ୍ରଦର୍ଶନ କରିଛନ୍ତି। ଆସନ୍ତା ସପ୍ତାହରେ ୩୭ ବର୍ଷରେ ପଦାର୍ପଣ କରିବାକୁ ଥିବା ମାଲିଙ୍ଗା ଶ୍ରୀଲଙ୍କା ତରଫରୁ ଶେଷଥର ଚଳିତବର୍ଷ ମାର୍ଚ୍ଚରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିଥିଲେ। ସେ ଶେଷଥର ପାଇଁ ଏକ ଅନ୍ତର୍ଜାତୀୟ ଦିନିକିଆ ବର୍ଷକ ପୂର୍ବେ ଖେଳିଥିଲେ।

Share