ଭୁବନେଶ୍ବର(ବ୍ୟୁରୋ)/ମାଲକାନଗିରି,୨୩ା୧୧(ଡି.ଏନ୍.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ମାଲକାନଗିରି ଜିଲା ପାଇଁ ୬ଟି ଗୁରୁତ୍ୱପୂର୍ଣ୍ଣ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ଏଥିପାଇଁ ୨୫ କୋଟି ଟଙ୍କା ବିନିଯୋଗ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହିସବୁ ପ୍ରକଳ୍ପ ଜିଲାର ସାମାଜିକ ଓ ଆର୍ଥିକ ବିକାଶକୁ ଆହୁରି ଆଗେଇନେବ। ଭିଡିଓ କନ୍ଫରେନ୍ସରେ ପ୍ରକଳ୍ପ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ମାଲକାନଗିରି ସବୁବେଳେ ତାଙ୍କ ପାଇଁ ସ୍ବତନ୍ତ୍ର ହୋଇ ରହିଛି। ଏହାର ବିକାଶ କାମ ତାଙ୍କୁ ସବୁଠାରୁ ଅଧିକ ଖୁସି ଦେଇଥାଏ। ତାଙ୍କର ପୂର୍ଣ୍ଣ ବିଶ୍ବାସ, ମାଲକାନଗିରି ପରିଚୟ ଆଗକୁ ଆହୁରି ଉଜ୍ଜ୍ୱଳ ହେବ। ରାଜ୍ୟର ଏକ ଆଗୁଆ ଜିଲା ଭାବେ ବିକାଶ ମାନଚିତ୍ରରେ ଏହା ନିଜର ସ୍ଥିତିକୁ ଆହୁରି ଦୃଢ଼ କରିବ।
ଉଦ୍ଘାଟିତ ହୋଇଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି, ଅନ୍ବେଷା କାର୍ଯ୍ୟକ୍ରମରେ ଶିକ୍ଷା ଗ୍ରହଣ କରୁଥିବା ଅନୁସୂଚିତ ଜନଜାତି ଓ ଜାତି ପିଲାମାନଙ୍କ ପାଇଁ ଦୁଇଟି ହଷ୍ଟେଲ। ଏଥିରେ ୬୦୦ ଝିଅ ଏବଂ ୬୦୦ ପୁଅ ରହିବା ପାଇଁ ବ୍ୟବସ୍ଥା କରାଯାଇଛି। ମୋଟୁ ଟ୍ରାଇ ଜଙ୍କସନ୍ରେ ବିଜୁ ପଟ୍ଟନାୟକ ଅନ୍ତଃରାଜ୍ୟ ବସ୍ ଟର୍ମିନାଲ ହୋଇଛି। ଏହା ଜିଲା ସହ ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶକୁ ଗମନାଗମନ ସୁଗମ କରିଛି। ଏହା ସହିତ ବଣ୍ଡା ଅଞ୍ଚଳକୁ ଯୋଡୁଥିବା ଏକ ଉଚ୍ଚସ୍ତରୀୟ ସେତୁ ଓ ବାଲିମେଳାଠାରେ ତମସା ନଦୀ ଉପରେ ବିଜୁ ସେତୁ, କ୍ରୀଡ଼ାର ବିକାଶ ପାଇଁ ଏକ ଜୁଡୋ ଏକାଡେମୀ ଓ ପିଲାମାନଙ୍କ ପାଇଁ ଏକ ସ୍ବଧାର ଗୃହ ହୋଇଛି।
ମୁଖ୍ୟମନ୍ତ୍ରୀ ଏହି ଜିଲାରେ ଦ୍ରୁତ ବିକାଶ କାର୍ଯ୍ୟକ୍ରମର ଉଚ୍ଚ ପ୍ରଶଂସା କରି କହିଛନ୍ତି, ମାଲକାନଗିରିବାସୀ ବର୍ତ୍ତମାନ ବିକାଶ ସହ ଯୋଡ଼ିହୋଇ ରହିଛନ୍ତି। ବିକାଶ କାମରେ ସମସ୍ତଙ୍କ ସହଯୋଗ ସବୁବେଳେ ଉତ୍ସାହିତ କରି ଆସିଛି। ଜିଲାରେ ଶିକ୍ଷା ଓ ସଚେତନତାର ପ୍ରସାର ଘଟିଛି। ଯୋଗାଯୋଗରେ ଉନ୍ନତି ଆସିଛି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାଠାରୁ ଆରମ୍ଭକରି ବିଭିନ୍ନ କଲ୍ୟାଣ ଯୋଜନାର ସୁଯୋଗ ଆପଣମାନେ ନେଉଥିବା ଖୁସିର କଥା। ବଣ୍ଡା ଘାଟିର ଝିଅ କରମା ମୁଦୁଲି ଭୁବନେଶ୍ବରର ସବୁଠାରୁ ଭଲ ସରକାରୀ ମହିଳା ୟୁନିଭର୍ସିଟିରେ ପାଠ ପଢୁଥିବାର ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଶିକ୍ଷା ହିଁ ସୁଯୋଗ ଆଣିଥାଏ। ଶିକ୍ଷା ଯୋଗୁ ଏହି ରୂପାନ୍ତର ଆସିପାରିଛି। ଉପସ୍ଥିତ ଛାତ୍ରୀଛାତ୍ରମାନଙ୍କୁ ପାଠ ପଢ଼ି ନିଜ ପାଇଁ ପରିଚୟ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ଏହି ଅବସରରେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ଏବଂ ଜିଲା ପରିଷଦ ଅଧ୍ୟକ୍ଷା ସମାରୀ ଟାଙ୍ଗଲୁ ପ୍ରମୁଖ ବକ୍ତବ୍ୟ ରଖି ମାଲକାନଗିରି ଜିଲାରେ ଦ୍ରୁତ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ ନେତୃତ୍ୱର ଉଚ୍ଚପ୍ରଶଂସା କରିଛନ୍ତି। ୫-ଟି ସଚିବ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବୈଠକରେ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ।