ପୂର୍ବତନ ମୃତ୍ତିକା ସଂରକ୍ଷଣ ଅଧିକାରୀଙ୍କ ୧ କୋଟିରୁ ଊର୍ଦ୍ଧ୍ୱ ସମ୍ପତ୍ତି ବାଜ୍ୟାପ୍ତି

ଭୁବନେଶ୍ୱର,(ସତ୍ୟଜିତ୍‌ ରାଉତ)/ ମାଲକାନଗିରି, ୨୧ା୫ (ଦୁର୍ଯ୍ୟୋଧନ ପାତ୍ର):ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡିତ ହୋଇଥିବା ମାଲକାନଗିରି ଜିଲାର ପୂର୍ବତନ ମୃତ୍ତିକା ସଂରକ୍ଷଣ ଅଧିକାରୀ (ଏସ୍‌ସିଓ) ଦାଶରଥି ତ୍ରିପାଠୀଙ୍କ ପାଇଁ ପୁଣି ଅଡ଼ୁଆ ବଢ଼ିଛି। ଦାଶରଥିଙ୍କ ୧ କୋଟି ୭ ଲକ୍ଷ ୬୬ ହଜାର ୩୪୦ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ଭୁବନେଶ୍ୱର ସ୍ବତନ୍ତ୍ର କୋର୍ଟର ବିଚାରପତି ଆଶାପୂର୍ଣ୍ଣା ମହାପାତ୍ର ସୋମବାର ବାଜ୍ୟାପ୍ତି କରିଛନ୍ତି। ଏହି ସମ୍ପତ୍ତି ମଧ୍ୟରେ ପୁରୀ ଜିଲା ବାଟମଙ୍ଗଳାଠାରେ ଏକ ଜମି, ଭୁବନେଶ୍ୱର ଯାଁଳା ମୌଜାରେ ଆଉ ଏକ ପ୍ଲଟ୍‌ , ଭରତପୁର ମୌଜାରେ ଥିବା ଜିଏ ପ୍ଲଟ୍‌ ସମେତ ବ୍ୟାଙ୍କ ଜମା, ପୋଷ୍ଟାଲ ଜମା ଓ ଏଲ୍‌ଆଇସି ଜମା ଆଦି ରହିଛି। ଦାଶରଥି ମାଲକାନଗିରିରେ ଏସ୍‌ସିଓ ଭାବେ କାର୍ଯ୍ୟ କରୁଥିବାବେଳେ ବହୁ ଦୁର୍ନୀତି କରିଥିବା ଅଭିଯୋଗ ହୋଇଥିଲା। ୨୦୦୫ରେ ଭିଜିଲାନ୍ସ ପକ୍ଷରୁ ତାଙ୍କ ଘର ଓ ଅଫିସ ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବିପୁଳ ସମ୍ପତ୍ତି ଠାବ ହୋଇଥିଲା। ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ଏସଂକ୍ରାନ୍ତରେ ଏକ ମାମଲା (ନଂ.୫/୨୦୦୫) ରୁଜୁ କରାଯାଇ ଦାଶରଥିଙ୍କୁ ଗିରଫ କରାଯାଇଥିଲା। ତେବେ ଗିରଫ ହେବାର ବର୍ଷେ ପରେ ଅର୍ଥାତ୍‌ ୨୦୦୬ରେ ଦାଶରଥି ଅବସର ଗ୍ରହଣ କରିଥିଲେ। ଏହି ମାମଲାରେ ଭୁବନେଶ୍ୱର ଭିଜିଲାନ୍ସ କୋର୍ଟ ୨୦୧୯ ଜୁଲାଇ ୨୪ରେ ରାୟ ପ୍ରକାଶ କରିଥିଲେ। ଦାଶରଥିଙ୍କୁ ୨ ବର୍ଷ ଜେଲଦଣ୍ଡ ସହ ୧ ଲକ୍ଷ ଟଙ୍କା ଜରିମାନା ନିର୍ଦ୍ଦେଶ ଥିଲା। ଗତ ୨୦୨୩ ଜାନୁଆରୀ ୪ରେ ରାଜ୍ୟ ସରକାର ମଧ୍ୟ ଦାଶରଥିଙ୍କ ପେନସନ୍‌ ଓ ଗ୍ରାଚ୍ୟୁଇଟି ସ୍ଥାୟୀ ଭାବେ ବନ୍ଦ କରିଦେଇଥିଲେ।

Share