ମାଲକାନଗିରିରୁ ବ୍ରହ୍ମପୁର ସାଇକେଲ ଯାତ୍ରା: କ’ଣ ରହିଛି ଏହାର ଉଦ୍ଦେଶ୍ୟ

ମାଲକାନଗିରି,୨୦।୧୦(ନୃସିଂହ ଚରଣ ମହାନ୍ତି): ବିଦ୍ୟୁତ୍‌ ଉପଭୋକ୍ତା ଏବଂ କର୍ମଚାରୀଙ୍କ ସୁରକ୍ଷା ସମ୍ପର୍କିତ ବାର୍ତ୍ତା ନେଇ ଟିପିଏସ୍‌ଓଡିଏଲ୍‌ କର୍ମଚାରୀ ଇଂ.ସୌମ୍ୟ ରଞ୍ଜନ ଲେଙ୍କା ଶୁକ୍ରବାର ସ୍ଥାନୀୟ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସାଇକେଲ ଯାତ୍ରା ଆରମ୍ଭ କରିଛନ୍ତି।

ସେ ସୁଦୂର ମାଲକାନଗିରିରୁ ବାହାରି ସିଲ୍କସିଟି ବ୍ରହ୍ମପୁର ପର୍ଯ୍ୟନ୍ତ ଯାତ୍ରା କରିବେ। କାର୍ଯ୍ୟକ୍ରମକୁ ନିର୍ବାହୀ ଯନ୍ତ୍ରୀ ଆଶିଶ ଜେନା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ସୁରକ୍ଷା ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସେ ବକ୍ତବ୍ୟ ରଖି କହିଥିଲେ, ଆଜିର ଅତ୍ୟାଧୁନିକ ଯୁଗରେ ବିଦ୍ୟୁତ୍‌ ଅପରିହାର୍ଯ୍ୟ ହୋଇପଡିଛି। କିନ୍ତୁ ମଣିଷ ଜୀବନକୁ ସରସ ସୁନ୍ଦର କରିଥିବା ଏହି ବିଦ୍ୟୁତ୍‌ ସହିତ ସାମାନ୍ୟ ଅସାବଧାନତା ହେଲେ ବଡ଼ ଦୁର୍ଘଟଣା ଘଟି ଧନ ଜୀବନ ହାନି ଘଟିପାରେ l ତେଣୁ ବିଦ୍ୟୁତ୍‌ ବ୍ୟବହାର ତଥା କାର୍ଯ୍ୟକ୍ଷେତ୍ରରେ ସୁରକ୍ଷା ଅବଲମ୍ବନ କରିବା ଉଚିତ। ଇଂ. ଲେଙ୍କା ତାଙ୍କ ଯାତ୍ରା ସମ୍ପର୍କରେ ସମ୍ୟକ ସୂଚନା ଦେଇ କହିଥିଲେ, ସେ ତାଙ୍କ ଯାତ୍ରାରେ ବିଦ୍ୟୁତ୍‌ ସୁରକ୍ଷା ସମ୍ପର୍କରେ ପଥପ୍ରାନ୍ତ ସଭା ଏବଂ କାର୍ଯ୍ୟକ୍ରମ ଗ୍ରହଣ କରିବେ। କାର୍ଯ୍ୟକ୍ରମରେ ସୁଜିତ ସ୍ବାଇଁ, ସ୍ମୃତି ରଞ୍ଜନ ମିଶ୍ର, ଜ୍ୟୋତି ରଞ୍ଜନ ସାହୁ, ଆଲୋକ କୁମାର ମୁଦୁଲି, ରାକେଶ ଚନ୍ଦ୍ର ପାତ୍ର, ସୋବିକ ପାତ୍ର ଓ ସେକ୍‌ କରିମୁଲା ଆଦି ବିଦ୍ୟୁତ୍‌ କର୍ମଚାରୀ ଉପସ୍ଥିତ ଥିଲେ।

Share