Categories: ଜାତୀୟ

୨୦୨୪ରେ ମେଣ୍ଟର ନେତୃତ୍ୱ ନେବ କଂଗ୍ରେସ: ଖର୍ଗେ

ନୂଆଦିଲ୍ଲୀ,୨୨ ।୨: ଲୋକ ସଭା ନିର୍ବାଚନ ୨୦୨୪କୁ ଆଉ ପ୍ରାୟ ବର୍ଷେ ସମୟ ରହିଛି । ଶାସକ ଭାରତୀୟ ଜନତା ପାର୍ଟି(ଭାଜପା)ର ମୁକାବିଲା କରିବାକୁ ପ୍ରାୟ ସମସ୍ତ ବିରୋଧି ଦଳ ମେଣ୍ଟ ରାଜନୀତିକୁ ଆପଣେଇବା ଦେଖାଗଲାଣି । ଇତି ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେଙ୍କ ବୟାନ ସାମ୍ନାକୁ ଆସିଛି । ସେ କହିଛନ୍ତି ୨୦୨୪ରେ କଂଗ୍ରେସ ନେତୃତ୍ୱର ମେଣ୍ଟ ଭାଜପାକୁ ଗାଦିଚ୍ୟୁତ କରାଇବ ।
ନାଗାଲ୍ୟାଣ୍ଡର ଦିମାପୁରରେ ଏକ ନିର୍ବାଚନ ରାଲିକୁ ସମ୍ବୋଧନ କରିବା ସମୟରେ ଖର୍ଗେ କହିଛନ୍ତି ସମସ୍ତ ବିରୋଧି ଦଳ ମିଶି ୨୦୨୪ରେ ଭାଜପାକୁ ବୁଦ୍ଧି ଶିଖାଇବେ । କେନ୍ଦ୍ରରେ ଏକ ମେଣ୍ଟ ସରକାର ଶାସନ କରିବ ଆଉ ଏହାର ନେତୃତ୍ୱ ନେବ କଂଗ୍ରେସ । ସେ କହିଛନ୍ତି, ଏହାକୁ ନେଇ କଂଗ୍ରେସ ସବୁ ଦଳ ସହ ଲଗାତର ସମ୍ପର୍କରେ ରହିଛି ଓ ଚର୍ଚ୍ଚା କରୁଛି । କାରଣ ଲୋକତନ୍ତ୍ରକୁ ବଞ୍ଚାଇବାକୁ ଓ ସମ୍ବିଧାନକୁ ବଞ୍ଚାଇବାକୁ ଭାଜପାକୁ ହରାଇବା ଜରୁରୀ ।
ଖର୍ଗେ କହିଛନ୍ତି, କଂଗ୍ରେସ ସବୁ ସମୟରେ ସବୁ ଦଳ ସହ କଥା ହେଉଛି । ୨୦୨୪ରେ କେମିତି ବିଜୟ ହେବ ସେ ନେଇ ସବୁ ଦଳ ନିଜ ନିଜର ମତ ରଖୁଛନ୍ତି । ସେଥିପାଇଁ ଏଥର ଭାଜପାକୁ ବହୁମତ ମିଳିବା କାଠିକର ପାଠ ହୋଇଯିବ । ଅନ୍ୟ ସମସ୍ତ ଦଳଙ୍କୁ ମିଶିକରି ବହୁମତ ମିଳିବ । ସେ ସ୍ପଷ୍ଟ କରିଛନ୍ତି କି କଂଗ୍ରେସ ଏହି ମେଣ୍ଟର ନେତୃତ୍ୱ ନେବ । ଏଥିରୁ ସ୍ପଷ୍ଟ ହୋଇଛି କି କଂଗ୍ରେସ ତା’ର ନେତୃତ୍ୱ ଭୂମିକାକୁ ଛାଡିବାକୁ ରାଜି ନୁହେଁ ।

Share