ନୂଆଦିଲ୍ଲୀ, ୨୯।୮: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ସଂଯୋଜକ ହୋଇପାରନ୍ତି। ମଙ୍ଗଳବାର ମେଣ୍ଟ ପକ୍ଷରୁ ଏହି ସୂଚନା ମିଳିଛି। ମୁମ୍ବାଇରେ ଆୟୋଜିତ ହେବାକୁ ଥିବା ବୈଠକରେ ‘ଇଣ୍ଡିଆ’ ମେଣ୍ଟର ସଂଯୋଜକ ଭାବରେ ମଲ୍ଲିକାର୍ଜୁନ ଖାର୍ଗେଙ୍କ ନାମ ଘୋଷଣା କରାଯାଇପାରେ।
ସୂଚନାନୁସାରେ, ୨୦୨୪ ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମେଣ୍ଟରେ ଜଡିତ ଦଳମାନେ ରଣନୀତି ଉପରେ ଗୁରୁତ୍ୱାରୋପ କରୁଛନ୍ତି। ମଲ୍ଲିକାର୍ଜୁନ ଖାର୍ଗେ ସଂଯୋଜକ ପଦ ପାଇଁ ଜଣେ ବରିଷ୍ଠ ଚେହେରା, ଯିଏ ଏହାକୁ ଆଗେଇ ନେଇ ପାରିବେ। ଏହା ବ୍ୟତୀତ ତାଙ୍କର ଦୀର୍ଘ ରାଜନୈତିକ ଅଭିଜ୍ଞତାକୁ ମଧ୍ୟ ଅଗ୍ରାଧିକାର ଦିଆଯାଇପାରେ।
ଅନ୍ୟପଟେ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ମଧ୍ୟ ସଂଯୋଜକ ପଦ ଦିଆଯିବ ବୋଲି ଅନୁମାନ କରାଯାଉଛି। ତେବେ ନୀତୀଶ କୁମାର ଅନେକ ଥର ଅସ୍ବୀକାର କରିଛନ୍ତି ଯେ, ସେ କିଛି ଚାହୁଁ ନାହାଁନ୍ତି। ସୋମବାର ସେ କହିଛନ୍ତି ଯେ, ଆମେ କିଛି ଚାହୁଁନାହୁଁ, ଆମେ କେବଳ ଲୋକଙ୍କୁ ଏକଜୁଟ କରିବାକୁ ଚାହୁଁଛୁ।