ଭାରତରେ ଅପପୁଷ୍ଟି କମୁଛି

ଜାତିସଂଘ,୧୫ା୭: ଭାରତରେ ୧୦ ବର୍ଷ ମଧ୍ୟରେ ଅପପୁଷ୍ଟିରେ ପୀଡ଼ିତଙ୍କ ସଂଖ୍ୟା ୬ କୋଟି ହ୍ରାସ ପାଇଛି। ଅନ୍ୟପକ୍ଷରେ ବୟସ୍କଙ୍କଠାରେ ମେଦବହୁଳତା ବୃଦ୍ଧି ପାଉଥିବା ଜାତିସଂଘ ରିପୋର୍ଟରେ କୁହାଯାଇଛି। ଜାତିସଂଘ ପକ୍ଷରୁ ସୋମବାର ପ୍ରକାଶ ପାଇଥିବା ବିଶ୍ୱରେ ଖାଦ୍ୟ ନିରାପତ୍ତା ଓ ପୋଷଣ ସ୍ଥିତି ରିପୋର୍ଟ ଅନୁଯାୟୀ ୨୦୧୯ରେ ସାରା ବିଶ୍ୱରେ ୬୯ କୋଟି ଲୋକ କୁପୋଷଣ ବା କ୍ଷୁଧାରେ ରହୁଛନ୍ତି। ୨୦୧୮ ତୁଳନାରେ ଏହା ୧ କୋଟି ଅଧିକ। ୨୦୦୪-୦୬ରେ ଭାରତରେ ୨୪ କୋଟି ୯୪ ଲକ୍ଷ ଲୋକ କୁପୋଷଣ ମଧ୍ୟରେ ରହିଥିବାବେଳେ ୨୦୧୭-୧୯ରେ ଏହି ସଂଖ୍ୟା ୧୮ କୋଟି ୯୨ ଲକ୍ଷକୁ ହ୍ରାସ ପାଇଛି। ଅର୍ଥାତ୍‌ ଏହି ସମୟ ମଧ୍ୟରେ ଦେଶରେ କୁପୋଷଣ ହାର ୨୧.୭ ପ୍ରତିଶତରୁ ୧୪ ପ୍ରତିଶତକୁ କମିଆସିଛି। ଦୁଇ ବୃହତ ଅର୍ଥ ବ୍ୟବସ୍ଥା ଚାଇନା ଓ ଭାରତ ପାଇଁ ପୂର୍ବ ଏବଂ ଦକ୍ଷିଣ ଏସିଆରେ କୁପୋଷଣ କମିଥିବା ରିପୋର୍ଟରେ କୁହାଯାଇଛି। ଦୀର୍ଘମିଆଦୀ ଅର୍ଥନୈତିକ ଅଭିବୃଦ୍ଧି, ଅସମାନତାରେ ହ୍ରାସ, ମୌଳିକ ଦ୍ରବ୍ୟ ଓ ସେବା ଅଧିକ ଲୋକଙ୍କ ପାଖରେ ପହଞ୍ଚତ୍ବା ଫଳରେ ଏହା ସମ୍ଭବ ହୋଇପାରିଛି। ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ (ଏଫ୍‌ଏଓ), ଅନ୍ତର୍ଜାତୀୟ କୃଷି ବିକାଶ ପାଣ୍ଠି (ଆଇଏଫ୍‌ଏଡି), ୟୁନିସେଫ୍‌, ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲ୍ୟୁଏଫ୍‌ପି) ଏବଂ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ମିଳିତ ଭାବେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ରିପୋର୍ଟ ଅନୁଯାୟୀ ଭାରତରେ ୫ ବର୍ଷରୁ କମ୍‌ ବୟସର ପିଲାଙ୍କ ଅପପୁଷ୍ଟି ହାର ୨୦୧୨ରେ ୪୭.୮% ଥିବାବେଳେ ୨୦୧୯ରେ ୩୪.୭%କୁ ହ୍ରାସ ପାଇଛି। ତେବେ ୨୦୧୨ରୁ ୨୦୧୬ ମଧ୍ୟରେ ଭାରତରେ ବୟସ୍କମାନଙ୍କଠାରେ ମେଦବହୁଳତା ବୃଦ୍ଧି ପାଇଛି। ୨୦୧୨ରେ ୧୮ ବର୍ଷ କିମ୍ବା ତଦୂର୍ଦ୍ଧ୍ୱ ବୟସର ୨କୋଟି ୫୨ ଲକ୍ଷ ଲୋକ ମେଦବହୁଳତାର ଶିକାର ହୋଇଥିବାବେଳେ ୨୦୧୬ରେ ଏହା ୩.୪୩ କୋଟିକୁ ବୃଦ୍ଧି ପାଇଛି। ଅର୍ଥାତ୍‌ ଏହି ସମୟ ମଧ୍ୟରେ ମେଦବହୁଳତା ହାର ୩.୧%ରୁ ୩.୯%କୁ ବଢ଼ିଛି। ସେହିପରି ୨୦୧୨ରେ ୧୫ରୁ ୪୯ ବର୍ଷ ବୟସର ୧୬.୫୬ କୋଟି ମହିଳା ରକ୍ତହୀନତାର ଶିକାର ହୋଇଥିବାବେଳେ ୨୦୧୬ରେ ଏହା ୧୭.୫୬ କୋଟିକୁ ବୃଦ୍ଧି ପାଇଛି। ରିପୋର୍ଟ ଅନୁଯାୟୀ ଆଫ୍ରିକାରେ କ୍ଷୁଧିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିଚାଲିଛି। କରୋନା ମହାମାରୀ ଯୋଗୁ ଚଳିତ ବର୍ଷ ଶେଷ ବେଳକୁ ଭୋକିଲା ତାଲିକାରେ ଆଉ ୧୩ କୋଟି ସାମିଲ ହେବେ ବୋଲି ଆକଳନ କରାଯାଇଛି।

Share