Categories: ଜାତୀୟ

ମୋତେ ଇର୍ଷା କରୁଛନ୍ତି ମୋଦି, କାହିଁକି ଏମିତି କହିଲେ ଦିଦି

କୋଲକାତା,୨୬।୯: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ରୋମ ଯିବାକୁ କେନ୍ଦ୍ର ତରଫରୁ ଅନୁମତି ନ ମିଳିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି ଦିଦି। ସେ କହିଛନ୍ତି, ମୋଦି ମୋତେ ଇର୍ଷା କରୁଛନ୍ତି। ଅକ୍ଟୋବରରେ ଇଟାଲୀଠାରେ ବିଶ୍ୱ ଶାନ୍ତି ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସମ୍ମିଳନୀରେ ମମତା ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ମମତାଙ୍କୁ ରୋମ ଯିବାକୁ କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟ ଅନୁମତି ଦେଇ ନାହିଁ। ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରି ସେ କହିଛନ୍ତି, ଆପଣ ମୋତେ ଅଟକାଇ ପାରିବେ ନାହିଁ। ମୁଁ ବିଦେଶ ଯିବା ପାଇଁ ଉତ୍ସୁକ ନୁହଁ। ଏହାର ସମ୍ବନ୍ଧ ରାଷ୍ଟ୍ରର ସମ୍ମାନ ସହ ରହିଛି। ଆପଣ (ପ୍ରଧାନମନ୍ତ୍ରୀ ମୋଦି) ହିନ୍ଦୁମାନଙ୍କ କଥା କହୁଛନ୍ତି, ମୁଁ ମଧ୍ୟ ଜଣେ ହିନ୍ଦୁ ମହିଳା, ମୋତେ ଯିବା ପାଇଁ କାହିଁକି ଅନୁମତି ଦେଲେ ନାହିଁ? ଆପଣ ମୋତେ ଈର୍ଷା କରୁଛନ୍ତି। ମମତା ଆହୁରି କହିଛନ୍ତି, ଆମକୁ ଆମର ସ୍ବାଧୀନତା ରକ୍ଷା କରିବାକୁ ପଡ଼ିବ। ‘ତାଲିବାନ’ ଶାସନ ଭାରତରେ ଚାଲିପାରିବ ନାହିଁ। ଟିଏମସି ଭାଜପାକୁ ପରାସ୍ତ କରିବାକୁ ଯଥେଷ୍ଟ। ‘ଖେଲା’ ଭବନିପୁରରୁ ଆରମ୍ଭ ହୋଇ ସାରା ଦେଶରେ ଆମର ବିଜୟ ପରେ ଶେଷ ହେବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ବିଶ୍ୱ ସ୍ତରୀୟ ଶାନ୍ତି ସମ୍ମିଳନୀରେ ଜଣେ ମୁଖ୍ୟମନ୍ତ୍ରୀ ଯୋଗଦେବାର ଷ୍ଟାଟସ ନାହିଁ। ସେ କେବେ ହେଲେ ଭାରତ ପକ୍ଷରୁ କୌଣସି ବିଶ୍ୱସ୍ତରୀୟ ସମ୍ମିଳନୀରେ ପକ୍ଷ ରଖିବାକୁ ଉପଯୁକ୍ତ ଅଧିକାରୀ ନୁହନ୍ତି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Share