Categories: ଜାତୀୟ

ପ୍ରତିଶୋଧର ରାଜନୀତି କରୁଛି କେନ୍ଦ୍ର: ମମତା

କୋଲକାତା, ୨୯।୫: ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଅଲପନ ବନ୍ଦୋପାଧ୍ୟାୟଙ୍କୁ ସାଧାରଣ ଅଭିଯୋଗ ଓ ପେନ୍‌ସନ ମନ୍ତ୍ରଣାଳୟରେ ଅବସ୍ଥାପିତ କରାଇବା ପାଇଁ କେନ୍ଦ୍ର ସରକାର ଶୁକ୍ରବାର ସନ୍ଧ୍ୟାରେ ନିର୍ଦ୍ଦେଶ ଜାରି କରିଥିଲେ। ଉକ୍ତ ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର କରିନେବାକୁ ଶନିବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ରକୁ ଅନୁରୋଧ କରିଛନ୍ତି।

ସାମୁଦ୍ରିକ ଝଡ଼ ୟାସ୍‌ କ୍ଷୟକ୍ଷତି ଆକଳନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗ ଯାଇଥିବା ବେଳେ ମମତା ବୈଠକକୁ ଅଧଘଣ୍ଟା ବିଳମ୍ବରେ ଆସିଥିଲେ। ପରେ ମୁଖ୍ୟ ସଚିବ ବନ୍ଦୋପାଧ୍ୟାୟଙ୍କୁ କେନ୍ଦ୍ରକୁ ଯିବା ପାଇଁ ନିର୍ଦ୍ଦେଶ ଆସିଥିଲା। ରାଜନୈତିକ ପ୍ରତିଶୋଧ ନେବା ପାଇଁ ଏଭଳି ଅସାଧୁ କୌଶଳ ନ ଆପଣାଇବା ଏବଂ ବାତ୍ୟା ଓ କରୋନା ପ୍ରଭାବିତ ପଶ୍ଚିମବଙ୍ଗରେ ଏକାଠି କାର୍ଯ୍ୟ କରିବା ଲାଗି ସୁଯୋଗ ଦେବାକୁ ମମତା ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି। କେନ୍ଦ୍ରର ଏଭଳି ପଦକ୍ଷେପ ଆଇଏଏସ୍‌ ଏବଂ ଆଇପିଏସ୍‌ ଅଧିକାରୀମାନଙ୍କୁ ଆଘାତ ଦେଇଛି। ଏହା ସମ୍ପୂର୍ଣ୍ଣ ଅସାମ୍ବିଧାନିକ ଓ ବେଆଇନ ବୋଲି ମମତା କହିଛନ୍ତି।

Share