Categories: ଜାତୀୟ

ମୋଦିଙ୍କୁ ମମତାଙ୍କ ଚିଠି

କୋଲକାତା,୨୪।୬: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ)ର ଉପଯୁକ୍ତ ଅନୁମୋଦନ ବିନା କେନ୍ଦ୍ର ସରକାର କୋଭାକ୍ସିନ୍‌ ଟିକାକୁ ବ୍ୟବହାରିକ ମଞ୍ଜୁରୀ ଦେଇଥିବାରୁ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହୋଇଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି। ଏଥିସହିତ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ସ୍ବଦେଶୀ ଟିକାର ଡବ୍ଲ୍ୟୁଏଚ୍‌ଓ ମଞ୍ଜୁରୀ ଲାଗି ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। କୋଭାକ୍ସିନକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଅନୁମତି ଦେଇ ନ ଥିବାରୁ ଏହି ଟିକା ନେଇଥିବା ଲୋକେ ବିଦେଶ ଯିବାରେ ଅସୁବିଧା ହେଉଛି। ଟିକାକରଣ ଅଭିଯାନ ଆରମ୍ଭରୁ କୋଭାକ୍ସିନ ଓ କୋଭିଶିଲ୍ଡ ଟିକା ସବୁ ରାଜ୍ୟ ଓ ଘରୋଇ ହସ୍ପିଟାଲଗୁଡ଼ିକୁ ଯୋଗାଇ ଦିଆଯାଉଛି। ଉଚ୍ଚଶିକ୍ଷା ପାଇଁ ସାରା ଦେଶରୁ ଛାତ୍ରୀଛାତ୍ର ପ୍ରତିବର୍ଷ ବିଦେଶ ଯାଇଥାନ୍ତି। ଅଧିକାଂଶ ଛାତ୍ରୀଛାତ୍ର କୋଭାକ୍ସିନ୍‌ ନେଇଥିବାର ସେମାନଙ୍କ ଟିକା ପ୍ରମାଣପତ୍ରକୁ ବିଦେଶରେ ଗ୍ରହଣ କରାଯାଉନାହିଁ ବୋଲି ମମତା ଉଲ୍ଲେଖ କରିଛନ୍ତି।

Share