Categories: ଜାତୀୟ

ନଡ୍ଡାଙ୍କ ଉପରେ ଆକ୍ରମଣ ଘଟଣା ଏକ ଡ୍ରାମା: ମମତା

କୋଲକାତା,୧୦ ।୧୨: କେନ୍ଦ୍ରର କୃଷି ଆଇନ ବିରୋଧରେ ପ୍ରଦର୍ଶନ କରୁଥିବା କୃଷକଙ୍କୁ ସମର୍ଥନ କରି ତ୍ରୁଣମୂଳ କଂଗ୍ରେସ(ଟିଏମ୍‌ସି)ଗତ ୩ ଦିନ ହେବ ପ୍ରଦର୍ଶନ ଜାରି ରଖିଥିଲା । ଗୁରୁବାର ଅନ୍ତିମ ଦିନରେ ଦଳ ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ରର ମୋଦି ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ସେ କହିଛନ୍ତି କେନ୍ଦ୍ର ସରକାର ଲୋକତନ୍ତ୍ର ନିୟମ ସଂଘିୟ ଢାଞ୍ଚାର ପାଳନ କରୁ ନାହାନ୍ତି । ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ସଂସଦ ଭବନର ଶିଳାନ୍ୟାସ କରିଥିବା ବେଳେ ଏହାର ଆଲୋଚନା କରି ମମତା କହିଛନ୍ତି ଏବେ ନୂଆ ସଂସଦ ଭବନର କୌଣସି ଆବଶ୍ୟକତା ନ ଥିଲା । ଏବେ ଏଥିରେ ଖର୍ଚ୍ଚ ହେଉଥିବା ଅର୍ଥ କୃଷକଙ୍କୁ ଦେବା କଥା । ସେ ଆହୁରି ମଧ୍ୟ କହିଛନ୍ତି କେନ୍ଦ୍ର ସରକାର ଲୋକଙ୍କ ନଜର କୃଷକ ଆନ୍ଦୋଳନ ଉପରୁ ହଟାଇବାକୁ ସେମାନେ କହିବେ ପାକିସ୍ତାନ ଆମ ଉପରେ ଆକ୍ରମଣ କଲା । ଆହୁରି ଅନେକ କିଛି । ପିଏମ୍ କେୟାର୍ସ ଫଣ୍ଡ କଥା ଉଠାଇ ମମତା କହିଲେ ଏହା ଗଲା କୁଆଡେ ଏହାର ଅଡିଟ କାହିଁକି କରାଗଲା ନାହିଁ । ଅନ୍ୟପଟେ ଗୁରୁବାର ଭାରତୀୟ ଜନତା ଦଳ(ଭାଜପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପରେ ଆକ୍ରମଣ ଘଟଣାକୁ ମମତା କହିଛନ୍ତି ଏହା କେବଳ ଭାଜପାର ଡ୍ରାମା । ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ଥାଇ କେହି କ’ଣ କେବେ ଆକ୍ରମଣ ପରିପାରେ ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି ।

Share