Categories: ଜାତୀୟ

ଦୁଇ ମନ୍ତ୍ରୀ ଗିରଫ ହେବା ପରେ ସିବିଆଇ କାର୍ଯ୍ୟାଳୟରେ ଭଙ୍ଗାରୁଜା

ନୂଆଦିଲ୍ଲୀ,୧୭।୫ : ନାରଦା ଲାଞ୍ଚ କାରବାର ମାମଲାରେ ପଶ୍ଚିମ ବଙ୍ଗର ଦୁଇ ମନ୍ତ୍ରୀ ଫିର୍ହାଦ ହାକିମ ଓ ସୁବ୍ରତ ମୁଖାର୍ଜୀଙ୍କୁ ସୋମବାର ସିବିଆଇ ଗିରଫ କରିଛି। ଏହାପରେ କୋଲକାତାସ୍ଥିତ ନିଜାମ ପ୍ୟାଲେସର ସିବିଆଇ କାର୍ଯ୍ୟାଳୟ ବାହାରେ ସୃଷ୍ଟି ହୋଇଥିଲା ଅପ୍ରିତିକର ପରିସ୍ଥିତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ବହୁ ସଂଖ୍ୟାରେ ଟିଏମ୍‌ସି ସମର୍ଥକ ଘଟଣାସ୍ଥଳରେ ପହଞ୍ଚି ବିରୋଧ ପ୍ରଦର୍ଶନ କରିଥିଲେ। ସିବିଆଇ ଅଧିକାରୀଙ୍କୁ ଚ୍ୟାଲେଞ୍ଜ ଦେଇ ମମତା କହିଛନ୍ତି “ ଯେଉଁ ଭଳି ବେଆଇନ ଭାବେ ମନ୍ତ୍ରୀମାନଙ୍କୁ ଉଠାଇ ନିଆଯାଇଛି, ସେମାନଙ୍କୁ ମୋତେ ମଧ୍ୟ ଗିରଫ କରିବାକୁ ପଡ଼ିବ ” । ଦୀର୍ଘ ୬ ଘଣ୍ଟା କାଳ ସିବିଆଇ କାର୍ଯ୍ୟାଳୟରେ ଉପସ୍ଥିତ ଥିଲେ ମମତା।

କାର୍ଯ୍ୟାଳୟ ବାହାରେ ବହୁ ସଂଖ୍ୟାରେ ତୃଣମୂଳ କଂଗ୍ରେସର ସମର୍ଥକମାନେ ବିରୋଧ ପ୍ରଦର୍ଶନ କରିବା ସହ ବ୍ୟାରେକେଡ ଭାଙ୍ଗିବାକୁ ଉଦ୍ୟମ କରିଥିଲେ। ସୁରକ୍ଷା କର୍ମୀ ଓ କାର୍ଯ୍ୟାଳୟ ଉପରେ ଟେକା ମାଡ଼ କରିଥିଲେ ଟିଏମ୍‌ସି ସମର୍ଥକମାନେ। ଏହାପରେ ବିକ୍ଷୋଭକାରୀଙ୍କୁ ତଡ଼ିବା ପାଇଁ ବାଟନ୍ସ ବ୍ୟବହାର କରିଥିଲେ ସୁରକ୍ଷାକର୍ମୀ।

ଏ ଘଟଣା ନେଇ ରାଜ୍ୟପାଳ ଜଗଦୀପ ଧନଖର ଟୁଇଟ୍‌ କରି ମୁଖ୍ୟମନ୍ତ୍ରୀ ମମତାଙ୍କ ଉପରେ ବର୍ଷିଛନ୍ତି । ମୁଖ୍ୟମନ୍ତ୍ରୀ ମମତା ଓ ତାଙ୍କ ଅଧିକାରୀ ସାମ୍ବିଧାନିକ ଆଇନ ପାଳନ କରନ୍ତୁ। ରାଜ୍ୟ ପୋଲିସ ଆଇନ ଶୃଙ୍ଖଳାକୁ ନିୟନ୍ତ୍ରଣରେ ରଖିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେବା ଦରକାର। ରାଜ୍ୟ ପୋଲିସ ଚୁପ ହୋଇ ବସିବା ଦୁଃଖଦାୟକ ବୋଲି ରାଜ୍ୟପାଳନ ଧନଖର ଟୁଇଟ୍‌ କରିଛନ୍ତି।

Share