କୋଲକାତା, ୫ା୫ – ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ହାତରେ ଲାଗିସାରିଛି ରକ୍ତ। ଗତ ବର୍ଷ ଅମ୍ଫାନ, ଏଥର ପଶ୍ଚିମବଙ୍ଗବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ମମତା ଫାନ। ନିର୍ବାଚନୀ ପରବର୍ତ୍ତୀ ହିଂସା ପରେ ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତ କରିଥିବା ଭାଜପା ମୁଖ୍ୟ ଜେ. ପି. ନଡ୍ଡା ବୁଧବାର ଏଭଳି କହିଛନ୍ତି। ରବିବାର ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ହିଂସା କାରଣରୁ ୧୪ ଜଣ ଭାଜପା କର୍ମୀଙ୍କ ମୃତ୍ୟୁ ହୋଇସାରିଛି।
ନିର୍ବାଚନୀ ପରବର୍ତ୍ତୀ ହିଂସାରେ ପ୍ରଭାବିତ ଭାଜପା କର୍ମୀଙ୍କୁ ନଡ୍ଡା ଭେଟିବେ ବୋଲି ଆଶା କରାଯାଉଛି। ତୃଣମୂଳ କଂଗ୍ରେସ ସମର୍ଥିତ ଗୁଣ୍ଡାମାନେ ଭାଜପାର କର୍ମୀ ଓ ମହିଳା ସଦସ୍ୟଙ୍କୁ ଆକ୍ରମଣ କରୁଛନ୍ତି। ଭାଜପାର କର୍ମୀଙ୍କ ଘର ଭଙ୍ଗାରୁଜା କରାଯିବା ସହ ଦୋକାନ ଲୁଟ୍ କରାଯାଉଥିବା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି।
ତେବେ ଅଭିଯୋଗକୁ ଖଣ୍ଡନ କରିଛି ଟିଏମ୍ସି। ନିର୍ବାଚନରେ ଖରାପ ଫଳାଫଳ ଯୋଗୁ ଭାଜପା ପକ୍ଷରୁ ରାଜ୍ୟରେ ହିଂସା ସୃଷ୍ଟି କରାଯାଉଥିବା ଅଭିଯୋଗ ହୋଇଛି। ଏ ଘଟଣା ସମ୍ପର୍କରେ ରିପୋର୍ଟ ତଲବ କରିଛି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ।