Categories: ଜାତୀୟ

ଇଣ୍ଡିଆ ମେଣ୍ଟରେ ଫାଟ: ପଶ୍ଚିମବଙ୍ଗରେ ଏକା ଲଢିବେ ମମତା, କଂଗ୍ରେସକୁ ବଡ ଝଟ୍‌କା

ନୂଆଦିଲ୍ଲୀ,୨୪।୧: ବିରୋଧୀ ମହାମେଣ୍ଟ ଇଣ୍ଡିଆକୁ ଲାଗିଛି ବଡ ଝଟ୍‌କା। ତୃଣମୂଳ କଂଗ୍ରେସ ମୁଖିଆ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ଏକା ନିର୍ବାଚନ ଲଢିବା ନେଇ ଘୋଷଣା କରିଛନ୍ତି। ବୁଧବାର ମମତା ଏହି ଘୋଷଣା କରି କହିଛନ୍ତି, ଆଗାମୀ ଲୋକସଭା ନିର୍ବାଚନକୁ ଟିଏମସି ରାଜ୍ୟରେ ଏକା ଲଢିବାକୁ ଯାଉଛି।
ଆସନ ବୁଝାମଣା ନେଇ ସେ ମେଣ୍ଟର ପ୍ରମୁଖ ସଦସ୍ୟ ଓ କଂଗ୍ରେସ ସହ ଆଲୋଚନା କରିଥିଲେ। କିନ୍ତୁ ସବୁ ଆଲୋଚନା ବିଫଳ ହୋଇଥିବା ସେ କହିଛନ୍ତି। ସେ ଆହୁରି କହିଛନ୍ତି, ଯେକୌଣସି ପ୍ରସ୍ତାବ ଦେଲେ ମଧ୍ୟ ସେ ସବୁକୁ ଖଣ୍ଡନ କରିଥିଲେ। ତେଣୁ ଟିଏମସି ପଶ୍ଚିମବଙ୍ଗରେ ଏକା ଲଢିବାକୁ ନିଷ୍ପତ୍ତି ନେଇଛି।

କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀଙ୍କ ସହ ମମତାଙ୍କ ମତଭେଦର ଗୋଟିଏ ଦିନ ପରେ ମମତା ଏପରି ଘୋଷଣା କରିଛନ୍ତି। ଅଧିର, ମମତାଙ୍କୁ ଅବସରବାଦୀ ବୋଲି କହି ସମାଲୋଚନା କରିଥିଲେ। ଯାହାପରେ ମମତା ପଶ୍ଚିମବଙ୍ଗର ୪୨ ସିଟ୍‌ରେ ଟିଏମସି ଏକା ଲଢିବା ନେଇ ଘୋଷଣା କରିଥିଲେ। ଦୁଇ ନେତାଙ୍କ କଥା କଟାକଟି ଭିତରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟସ୍ଥି କରିଥିଲେ। ଯେଉଁଥିରେ ସେ ଆସନ ବୁଝାମଣାରେ ଅଧିରଙ୍କ କଥା ଗୁରୁତ୍ୱ ରଖେନି ବୋଲି କହିଥିଲେ। ସୂଚନାଥାଉ କି, କଂଗ୍ରେସ ରାଜ୍ୟରେ ୧୦-୧୨ସିଟ୍‌ ଦାବି କରିଥିଲା। ଯାହାକୁ କଂଗ୍ରେସ ଖଣ୍ଡନ କରିଥିଲା।

ମମତା କଂଗ୍ରେସ ଉପରେ ଅଭିଯୋଗ ଆଣିଛନ୍ତି ଯେ, କଂଗ୍ରେସ ପଶ୍ଚିମବଙ୍ଗରେ ନ୍ୟାୟ ଯାତ୍ରା ନେଇ ସରକାରଙ୍କୁ ସୂଚନା ଦେଇ ନ ଥିଲା। ଶିଷ୍ଟାଚାରକୁ ଦୃଷ୍ଟିରେ ରଖି ଯାତ୍ରା କରିବା ନେଇ ସେ ମୋତେ ଜଣାଇ ବି ନାହାନ୍ତି। ତେବେ ପଶ୍ଚିମବଙ୍ଗରେ କଂଗ୍ରେସର ନ୍ୟାୟ ଯାତ୍ରାରେ ସାମିଲ ହେବାକୁ ଟିଏମସି ମନା କରିସାରିଛି।

Share