Categories: ଜାତୀୟ

ସମସ୍ତ ୨୯୧ ପ୍ରାର୍ଥୀ ତାଲିକା ଘୋଷଣା କଲା ଟିଏମ୍‌ସି, ନନ୍ଦୀଗ୍ରାମରୁ ନିର୍ବାଚନ ଲଢିବେ ମମତା

କୋଲାକାତା,୫ ।୩: ପଶ୍ଚିମବଙ୍ଗର ଶାସକ ଦଳ ତ୍ରୁଣମୂଳ କଂଗ୍ରେସ(ଟିଏମ୍‌ସି) ଶୁକ୍ରବାର ୨୯୧ ଆସନ ପାଇଁ ତା’ର ପ୍ରାର୍ଥୀ ତାଲିକା ଘୋଷଣା କରିଛି । ବିଧାନସଭାର ମୋଟ ୨୯୪ ଆସନ ମଧ୍ୟରୁ ବାକି ୩ଟି ଆସନକୁ ସହଯୋଗୀ ଦଳ ପାଇଁ ଛାଡିଛି ଟିଏମ୍‌ସି । କୁହାଯାଉଛି କି ଶୁକ୍ରବାର ଦିଦିଙ୍କ ପାଇଁ ଶୁଭଦିନ ହୋଇଥିବାରୁ ସେ ଏହିଦିନ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ, ୨୦୧୧ ଓ ୨୦୧୬ରେ ବି ମମତା ବାନାର୍ଜୀ ଟିଏମ୍‌ସି ଭବନରୁ ଶୁକ୍ରବାର ପ୍ରାର୍ଥୀ ତାଲିକା ଘୋଷଣା କରିଥିଲେ । ଏଥରର ନିର୍ବାଚନରେ ନିଜେ ମମତା ନନ୍ଦୀଗ୍ରାମ ଆସନରୁ ନିର୍ବାଚନ ଲଢିବେ । ଏଠାରୁ ତାଙ୍କର ସିଧାସଳଖ ଲଢେଇ ଶୁଭେନ୍ଦୁ ଅଧିକାରୀଙ୍କ ସହ ହେବ ବୋଲି କୁହାଯାଉଛି । ହେଲେ ଭାରତୀୟ ଜନତା ପାର୍ଟି(ଭାଜପା) ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା ହେବା ପରେ ହିଁ ଏହା ସ୍ପଷ୍ଟ ହେବ । ଏଥର ଟିଏମ୍‌ସି କେତେଜଣ ନୂଆ ଚେହେରାଙ୍କୁ ମଧ୍ୟ ପ୍ରାର୍ଥୀ କରିଛି । ପୁଣି ୫୦ ସିଟିଂ ବିଧାୟକଙ୍କ ଟିକେଟ ମଧ୍ୟ ଏଥର କାଟିଛି ଟିଏମ୍‌ସି । କେତେଜଣ ବରିଷ୍ଠ ମନ୍ତ୍ରୀ ଓ ବିଧାୟକଙ୍କୁ ବି ଏଥର ଟିକେଟ୍ ଦିଆଯାଇ ନାର୍ହି । ଏଥର ମମତା ପୁଣି ଭରସା ରଖିଛନ୍ତି ଯେ ତାଙ୍କ ଦଳ ପଶ୍ଚିମବଙ୍ଗରେ ସରକାର ଗଠନ କରିବ ।

Share