Categories: ଜାତୀୟ

ପୁଣି ବିବାଦରେ ଦିଦି

କୋଲକତା,୨୪।୩: ପଶ୍ଚିମବଙ୍ଗର ବୀରଭୂମରେ ହୋଇଥିବା ହିଂସାକୁ ନେଇ ରାଜନୀତି ଏବେ ତୀବ୍ର ହୋଇଛି। ଭାଜପା, କଂଗ୍ରେସ ସମେତ ଅନେକ ବିରୋଧୀଦଳ ନେତା ଟିଏମସି ସରକାର ବିରୋଧରେ ପ୍ରଦର୍ଶନ ଆରମ୍ଭ କରିଛନ୍ତି। ଏସବୁ ମଧ୍ୟରେ ମମତା ବାନାର୍ଜୀ ଗୁରୁବାର ବୀରଭୂମରେ ପହଞ୍ଚି ହିଂସାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ ଭେଟିଛନ୍ତି। ଏହାସହ ହିଂସା ଘଟଣାରେ ଅଭିଯୁକ୍ତମାନଙ୍କୁ ଚେତାବନୀ ମଧ୍ୟ ଦେଇଥିଲେ। ମମତା କହିଛନ୍ତି, ରାମପୁରହାଟ ହତ୍ୟାକାଣ୍ଡର ସନ୍ଦିଗ୍ଧ ଅଭିଯୁକ୍ତଙ୍କୁ ଖୋଜିବାକୁ ପଡ଼ିବ। ସମସ୍ତେ ଆତ୍ମସମର୍ପଣ କରନ୍ତୁ ନଚେତ୍‌ ପୋଲିସ ଗିରଫ କରିବ।
ବୀରଭୂମ ହିଂସାରେ ମୃତକଙ୍କ ପରିବାରକୁ ଭେଟିବା ପୂର୍ବରୁ ମମତା ମଧ୍ୟ ବିବାଦ ଭିତରକୁ ଆସିଛନ୍ତି। ଦଳୀୟ କର୍ମୀମାନେ ତାଙ୍କୁ ସ୍ବାଗତ କରିବା ପାଇଁ ତୋରଣ ଲଗାଇଥିଲେ। ଏହାକୁ ସମାଲୋଚନା କରାଯାଉଛି। ତୁମେ ଶୋକ କରିବାକୁ ଯାଇଛ କି ଉତ୍ସବ ପାଳନ କରିବାକୁ ଯାଉଛ ବୋଲି ଭାଜପା ପ୍ରଶ୍ନ କରିଛି। ଭାଜପା ନେତା ଅମିତ ମାଲଭିଆ ଟୁଇଟ୍‌ କରି କହିଛନ୍ତି ଯେ, ଲଜ୍ଜାଜନକ! ଏପଟେ ବୀରଭୂମର ରାମପୁରହାଟରେ ଟିଏମସି ୟୁନିଟ୍‌ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ ପାଇଁ ମୁଖ୍ୟ ଫାଟକରେ ତୋରଣ ଲଗାଯାଇଛି। ସେପଟେ କୁହାଯାଉଛି ମମତା ଜଘନ୍ୟ ହତ୍ୟାକାଣ୍ଡ ସ୍ଥାନକୁ ଶୋକ ବ୍ୟକ୍ତ କରିବା ପାଇଁ ଯାଉଛନ୍ତି। ଏହା ନିଷ୍ଠୁର, ଅମାନବୀୟ।
ସୂଚନାଯୋଗ୍ୟ, ନିକଟରେ ଟିଏମ୍‌ସି ନେତା ଭାଦୁ ଶେଖଙ୍କୁ ହତ୍ୟା କରାଯାଇଥିଲା। ଏହାର ପ୍ରତିଶୋଧ ନେବା ପାଇଁ ଡଜନେରୁ ଅଧିକ ଘର ଜାଳି ଦିଆଯାଇଛି। ଏଥିରେ ୨ ଜଣ ଶିଶୁଙ୍କ ସମେତ ୮ ଜଣଙ୍କର ମୃତ୍ୟୁ ଘଟିଛି।

Share