ସାମ୍ପ୍ରଦାୟିକ ରାଜନୀତି କରୁଛନ୍ତି ମମତା: ଧର୍ମେନ୍ଦ୍ର

ଭୁବନେଶ୍ୱର,୫।୪(ବ୍ୟୁରୋ): ଜୟ ଶ୍ରୀରାମ ନାରାକୁ ଶୁଣି ଚିହିଁକି ଉଠୁଥିବା ମମତା ଦିଦି ସାମ୍ପ୍ରଦାୟିକ ରାଜନୀତି କରୁଛନ୍ତି ବୋଲି ରବିବାର ପଶ୍ଚିମବଙ୍ଗର କମାରହାଟି ବିଧାନସଭା ନିର୍ବାଚନମଣ୍ଡଳୀରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିବା ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଏହି ନିର୍ବାଚନ ପ୍ରଚାର ଅବସରରେ ପଶ୍ଚିମବଙ୍ଗରେ ରହୁଥିବା ଓଡ଼ିଆମାନେ ଧର୍ମେନ୍ଦ୍ରଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।
ଧର୍ମେନ୍ଦ୍ର କହିଛନ୍ତି, ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ସବ୍‌କା ସାଥ, ସବ୍‌କା ବିକାଶ, ସବ୍‌କା ବିଶ୍ୱାସକୁ ମୂଳମନ୍ତ୍ର କରିଛନ୍ତି। ଏହି ମନ୍ତ୍ରରେ ପ୍ରଧାନମନ୍ତ୍ରୀ ହିନ୍ଦୁ କିମ୍ବା ମୁସଲିମ ପାର୍ଥକ୍ୟ ନ ଦେଖି ପଶ୍ଚିମବଙ୍ଗବାସୀଙ୍କୁ ଆବାସ ଯୋଜନାରେ ଘର, ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ, କରୋନା ମହାମାରୀ ସମୟରେ ଲୋକଙ୍କୁ ମାଗଣାରେ ମୁଣ୍ଡ ପିଛା ୫ କେଜି ଚାଉଳ, ପରିବାର ପିଛା ଡାଲି, ଗ୍ୟାସ, ଜନଧନ ଯୋଜନାରେ ମହିଳାଙ୍କୁ ଟଙ୍କା ତଥା ଅନ୍ୟାନ୍ୟ ଆର୍ଥିକ ଏବଂ ଆନୁଷଙ୍ଗିକ ସହଯୋଗ ବ୍ୟବସ୍ଥା କରିଛନ୍ତି। ଅପରପକ୍ଷରେ ମମତା ଦିଦି ଜୟ ଶ୍ରୀରାମ ନାରାକୁ ଗାଳି ଭାବୁଛନ୍ତି। ଦିଦି ସାମ୍ପ୍ରଦାୟିକତାବାଦକୁ କାହିଁକି ନୀତି କରିଛନ୍ତି ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି। ପଶ୍ଚିମବଙ୍ଗରେ ୧୦ ବର୍ଷର ଟିଏମ୍‌ସି ଶାସନରେ ଦୁର୍ନୀତି, ଲୁଟ୍‌, ଲାଞ୍ଚ ବୃଦ୍ଧି ପାଇଛି। ଏହି କାରଣରୁ ଚଳିତ ନିର୍ବାଚନରେ ପ୍ରଧାନମନ୍ତ୍ରୀଙ୍କ ଭଳି ବିକାଶମୁଖୀ ସରକାର କରିବା ପାଇଁ ପଶ୍ଚିମବଙ୍ଗ ଜନତା ମନ ବଳାଇସାରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ଦେଖି ଦିଦି ହାରିବା ଭୟରେ ଭୟଭୀତ ହୋଇଯାଇଛନ୍ତି। ଆସନ୍ତା ମେ ୨ ତାରିଖରେ ତୃଣମୂଳ କଂଗ୍ରେସର ସଭାନେତ୍ରୀଙ୍କ ପରାଜୟ ସୁନିଶ୍ଚିତ ହେବ। ପଶ୍ଚିମବଙ୍ଗରେ ଡବଲ ଇଞ୍ଜିନର ସରକାର କରିବା ପାଇଁ ଏଠାର ବାସିନ୍ଦା ପ୍ରତିବଦ୍ଧ ବୋଲି ଧର୍ମେନ୍ଦ୍ର କହିଛନ୍ତି।

Share