Categories: ଜାତୀୟ

ଫାସିବାଦୀ ଶକ୍ତିକୁ ସହାୟତା କରୁଛନ୍ତି ମମତା

ନୂଆଦିଲ୍ଲୀ, ୩।୧୨:ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଂଗ୍ରେସ ସୁବିଧାବାଦୀ ରାଜନେତ୍ରୀ ବୋଲି କହିଛନ୍ତି। ଦେଶର ସର୍ବପୁରାତନ ଦଳ ବିରୋଧରେ ଲଢ଼ି ସେ ଫାସିଦାଦୀ ଶକ୍ତିକୁ ସହାୟତା କରୁଥିବା କଂଗ୍ରେସ ସାଧାରଣ ସମ୍ପାଦକ ତଥା ମୁଖ୍ୟ ମୁଖପାତ୍ର ରଣଦୀପ ସୁର୍ଜଓ୍ବୋଲା ଅଭିଯୋଗ କରିଛନ୍ତି। କଂଗ୍ରେସ ସତ୍ୟ ପାଇଁ ଲଢ଼େଇ କରୁଥିବାବେଳେ ତୃଣମୂଳ କଂଗ୍ରେସ ନେତ୍ରୀ ରାଜନୈତିକ ସୁବିଧାବାଦୀ ଭାବେ କାର୍ଯ୍ୟ କରୁଛନ୍ତି। ସୁବିଧାବାଦ କେତେଜଣଙ୍କ ପାଇଁ କିମ୍ବା କେତେକ ଦଳ ପାଇଁ ଭଲ ହୋଇପାରେ କିନ୍ତୁ କଂଗ୍ରେସ ପାଇଁ ଦେଶ, ଗଣତନ୍ତ୍ର ଓ ଭ୍ରାତୃଭାବ ଆଗ। ଏଥିରୁ ଦଳ କେବେ ବିଚ୍ୟୁତ ହେବନାହିଁ ବୋଲି ସୁର୍ଜଓ୍ବୋଲା କହିଛନ୍ତି। ଟିଏମ୍‌ସି ଅଧ୍ୟକ୍ଷା ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଭାଷା କହୁଛନ୍ତି। ସେ କେତେବେଳେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ତ ପୁଣି କେତେବେଳେ ଉପା ଆଡ଼କୁ ଢଳୁଛନ୍ତି। ତାଙ୍କର ଉଚ୍ଚାକାଂକ୍ଷା ପୂରଣ ପାଇଁ ସେ ଏଭଳି ସୁବିଧାବାଦୀ ଭୂମିକା ଗ୍ରହଣ କରୁଛନ୍ତି। କିନ୍ତୁ ଭାଜପା ଓ ଆର୍‌ଏସ୍‌ଏସ୍‌ ବିରୋଧରେ ଲଢ଼େଇ କରିବା ଆମର ମୁଖ୍ୟ ଲକ୍ଷ୍ୟ ବୋଲି କଂଗ୍ରେସ ମୁଖପାତ୍ର କହିଛନ୍ତି। ସୂଚନାଯୋଗ୍ୟ, ବୁଧବାର ମମତା ଏନ୍‌ସିପି ନେତା ଶରଦ ପାଓ୍ବାରଙ୍କୁ ଭେଟିବା ପରେ ମିଳିତ ପ୍ରଗତିଶୀଳ ମେଣ୍ଟ (ଉପା) ଆଉ ନାହିଁ ବୋଲି କହିଥିଲେ। ଏହା ପୂର୍ବରୁ ସେ ଶିବସେନା ନେତା ସଞ୍ଜୟ ରାଉତ୍‌ ଓ ଆଦିତ୍ୟ ଠାକ୍‌ରେଙ୍କୁ ମଧ୍ୟ ଭେଟିଥିଲେ।

Share