‘ବବି କହିଥିଲେ ତୁମ କଥା ବୁଝାଯିବ’, ବଡ଼ ଅଭିଯୋଗ ଆଣିଲେ ମମତା ମହନ୍ତ

ଭୁବନେଶ୍ୱର, ୦୬।୦୮: ବିଜୁ ଜନତା ଦଳ ତଥା ରାଜ୍ୟସଭାରୁ ଇସ୍ତଫା ଦେଇଥିବା ମମତା ମହନ୍ତ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁରେ ବଡ ଅଭିଯୋଗ ଆଣିଛନ୍ତି। ଦଳ ଭିତରେ ତାଙ୍କୁ ଅଣଦେଖା କରାଯିବା ସହିତ ରାଜ୍ୟସଭାରୁ କାଢ଼ିଦେବାକୁ କୁହାଯାଇଥିବା ସେ ପ୍ରକାଶ କରିଛନ୍ତି।

ସେ ଆହୁରି କହିଛନ୍ତି ଯେ, ”ଗତ ପଞ୍ଚାୟତ ନିର୍ବାଚନ ପର୍ଯ୍ୟନ୍ତ ସବୁକିଛି ଠିକ ଥିଲା, ଦଳ ସବୁ କଥାରେ ପଚାରୁଥିଲା । କିନ୍ତୁ ପଞ୍ଚାୟତ ନିର୍ବାଚନ ପରେ ଦଳ ମୋତେ ଅଣଦେଖା କରୁଥିବା ଅନୁଭବ କରିଲି । ଦଳ କିମ୍ବା କୌଣସି ସରକାରୀ କାର୍ଯ୍ୟକ୍ରମରେ ମୋତେ ଡକାଯାଇ ନଥିଲା । ଏମିତିକି ମୋ ଘର କଡ଼ରେ ଲକ୍ଷ୍ମୀ ବସ ଉଦଘାଟନ କାର୍ଯ୍ୟକ୍ରମକୁ ମଧ୍ୟ ମୋତେ ଡାକି ନଥିଲେ । ମୋତେ ବାରମ୍ବାର ଅଣଦେଖା କରାଯିବ କଥା ସମସ୍ତଙ୍କୁ ଜଣାଇଥିଲି । କିନ୍ତୁ କେହି ଶୁଣି ନ ଥିଲେ । ଏମିତିକି ୪ ତାରିଖ ହେଉ ତୋତେ ରାଜ୍ୟସଭାରୁ କାଢି ଦିଆଯିବ ବୋଲି କୁହାଯାଇଥିଲା । ବବି ଦାସ କହିଥିଲେ ୪ ତାରିଖରେ ତୁମର ବିଚାର କରାଯିବ । ତେଣୁ ଯେଉଁଠି ସମ୍ମାନ କି ସୁଯୋଗ ମିଳେନାହିଁ, ସେଠି ରହିବାକୁ ଚାହିଁଲି ନାହିଁ।’

ନିକଟରେ ମମତା ବିଜେଡିରୁ ଇସ୍ତଫା ଦେବା ପରେ ଭାଜପାରେ ଯୋଗ ଦେଇଥିଲେ। ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି । ମମତାଙ୍କ ଇସ୍ତଫା ପରେ ରାଜ୍ୟ ସଭାରେ ବିଜେଡି ସଂଖ୍ୟା ୮କୁ ଖସିବା ପରେ ବିଧାନସଭା ଗଣିତ ଅନୁଯାୟୀ ଏହି ଆସନ ଏବେ ଭାଜପା ହାତକୁ ଯିବ।

ତେବେ ଭାଜପା କାହାକୁ ରାଜ୍ୟସଭା ପଠାଇବ, ତାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । ରାଜ୍ୟ ସଭା ସମୀକରଣ ଓ ରାଜନୈତିକ ସ୍ଥିତି ଦେଖି କୁହାଯାଉଛି। ଭାଜପା ସଭାପତି ମନମୋହନ ସାମଲଙ୍କ ସହ ଅନେକ ଭାଜପା ନେତାଙ୍କ ନାଁ ଚର୍ଚ୍ଚା ସହିତ ମମତାଙ୍କୁ ରିପିଟ୍ କରିପାରେ ବୋଲି ମଧ୍ୟ ଆଲୋଚନା ହେଉଛି।

କାରଣ ମମତା ମହନ୍ତଙ୍କ କାର୍ଯ୍ୟକାଳ ଆଉ ମାତ୍ର ଦେଢ ବର୍ଷ ବାକି ରହିଛି। ବହୁତ କମ୍ ସମୟ ଥିବାରୁ ଭାଜପା ମନମୋହନଙ୍କୁ ରାଜ୍ୟସଭା ନପଠାଇପାରେ। ଏଭଳି ସ୍ଥିତିରେ ବିଜେପି ପାଇଁ ମମତା ମହନ୍ତ ହିଁ ଏକ ସୁସ୍ଥ ଚୟନ ହୋଇପାରନ୍ତି । ମମତାଙ୍କୁ ରାଜ୍ୟସଭା ପଠାଇ ଗୋଟିଏ ତୀରରେ ଅନେକ ଶୀକାର କରିବାକୁ ଉଦ୍ୟମ କରିପାରେ ଦଳ । କାରଣ ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଛି, ସେତେବେଳେ ମୟୂରଭଞ୍ଜରେ ଦଖଲ ମଜଭୁତ କରିବା ସହ ଆମଦାନୀ ନେତା ଯେ ଭଜାପରେ ଅଲୋଡା ନୁହେଁ ସେନେଇ ସନ୍ଦେଶ ଦେଇପାରେ ।

Share