Categories: ଜାତୀୟ

ମମତାଙ୍କ ପୁତୁରା ଅଭିଷେକ ହେଲେ ତୃଣମୂଳ କଂଗ୍ରେସର ସାଧାରଣ ସମ୍ପାଦକ

କୋଲକାତା,୫।୬: ତୃଣମୂଳ କଂଗ୍ରେସ(ଟିଏମ୍‌ସି)ର ସାଂଗଠନିକସ୍ତରରେ ଶୁକ୍ରବାର ଏକ ବଡଧରଣର ଅଦଳବଦଳ କରାଯାଇଛି। ଟିଏମ୍‌ସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଏମ୍‌ପି ଅଭିଷେକ ବାନାର୍ଜୀଙ୍କୁ ଦଳର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି କରାଯାଇଛି।

ନିର୍ବାଚନ ପରେ ପ୍ରଥମ ଥର ପାଇଁ ଟିଏମ୍‌ସିର କାର୍ଯ୍ୟକାରୀ କମିଟି ବୈଠକ ହୋଇଥିଲା। ବୈଠକରେ ସାଂଗଠନିକ ଅଦଳବଦଳ ସମ୍ପର୍କରେ ନିଷ୍ପତ୍ତି ହୋଇଥିଲା। ପଶ୍ଚିମବଙ୍ଗ ବ୍ୟବତୀତ ଦେଶର ବିଭିନ୍ନ ରାଜ୍ୟରେ ଟିଏମ୍‌ସି ସାଂଗଠନିକ ସ୍ଥିତିକୁ ମଜଭୂତ କରିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏନେଇ ଆଗାମୀ ଦିନରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି।

ପଶ୍ଚିମବଙ୍ଗର ମନ୍ତ୍ରୀ ପାର୍ଥ ଚାଟାର୍ଜୀ କହିଛନ୍ତି, ଦଳର ନିଷ୍ପତ୍ତି କ୍ରମେ ଗୋଟିଏ ପଦରେ ଜଣେ ହିଁ ରହିବେ। ଏନେଇ ବିଭିନ୍ନ ପଦ ପଦବୀ ଦଳୀୟ ନେତାଙ୍କୁ ଦିଆଯାଇଛି। ଅଭିଷେକ ବାନାର୍ଜୀ ଦଳର ସାଧାରଣ ସମ୍ପାଦକ ପଦ ପାଇଥିବାରୁ ତାଙ୍କୁ ଏବେ ଟିଏମ୍‌ସି ୟୁଥ ଇନ୍‌ ଚାର୍ଜ ପଦରୁ ଇସ୍ତଫା ଦେବାକୁ ପଡିବ। ଟିଏମ୍‌ସି ୟୁଥର ନେତୃତ୍ୱ ଅଭିନେତାରୁ ରାଜନେତା ହୋଇଥିବା ସାୟୋନି ଘୋଷ ନେବେ। ସେହିପରି ଟିଏମ୍‌ସି ଏମ୍‌ପି କାକୋଲି ଘୋଷ ଦସ୍ତିଦର ଦଳର ମହିଳା ମୋର୍ଚ୍ଚା ସଭାପତି ହୋଇଛନ୍ତି। ଇଣ୍ଡିଆନ ନ୍ୟାଶନାଲ ତୃଣମୂଳ ଟ୍ରେଡ ୟୁନିୟନର ଜାତୀୟ ସଭାପତି ପଦ ଏମ୍‌ପି ଦୋଳା ସେନଙ୍କୁ ମିଳିଛି।

ଅନ୍ୟପକ୍ଷେ ଦଳର ବରିଷ୍ଠ ନେତା ପୂର୍ଣ୍ଣେନ୍ଦୁ ବୋଷଙ୍କୁ ଟିଏମ୍‌ସି ଚାଷୀ ସଂଗଠନର ସଭାପତି କରାଯାଇଛି। ଟିଏମ୍‌ସି ସାଂସ୍କୃତି ସେଲ୍‌ର ଇନ୍‌ ଚାର୍ଜ ପଦ ପ୍ରଥମଥର ବିଧାୟକ ହୋଇଥିବା ରାଜ ଚକ୍ରବର୍ତ୍ତୀଙ୍କୁ ମିଳିଛି।

Share