କୋଲକାତା,୧୭।୩: ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ବୁଧବାର ଦଳର ନିର୍ବାଚନୀ ମେନିଫେଷ୍ଟୋ ପ୍ରକାଶ କରିଛନ୍ତି। ଏଥିରେ ତାଙ୍କ ଦଳ ସରକାରକୁ ଫେରିଲେ କେଉଁ ଭଳି ଉନ୍ନତି କରିବ, ତାହା ସୂଚନା ଦେଇଛି। ପୁଣି ଥରେ ସରକାର କରିବାକୁ ସକ୍ଷମ ହେଲେ ରାଜ୍ୟର ପ୍ରତ୍ୟେକ ପରିବାର ମହିଳା ମୁଖ୍ୟ(ସାଧାରଣ ବର୍ଗ)ଙ୍କୁ ମାସିକ ୫୦୦ ଟଙ୍କା ଦରମା ଦିଆଯିବ। ଆଉ ଅନୁସୂଚିତ ଜାତି/ଜନଜାତି ପରିବାରର ମହିଳାଙ୍କୁ ପ୍ରଦାନ କରାଯିବ ୧ ହଜାର ଟଙ୍କା।
ଏହା ସଭିଙ୍କ ପାଇଁ। ଏହା କୌଣସି ଚାକିରୀ ନୁହେଁ। ଏଥିରେ କୌଣସି ଭେଦଭାବ ହେବ ନାହଁି। କିନ୍ତୁ ଆମର ମହିଳା ସଶକ୍ତିକରଣ ଯୋଜନା ଅନୁଯାୟୀ, ପରିବାରର ମହିଳା ମୁଖ୍ୟଙ୍କୁ ଏହା ମିଳିବ ବୋଲି ମମତା କହିଛନ୍ତି। ଏହା ବ୍ୟତୀତ ରାଜ୍ୟରେ ୫ ଲକ୍ଷ ଚାକିରୀ ସୃଷ୍ଟି କରାଯିବ।
ମେନିଫେଷ୍ଟୋରେ ଛାତ୍ରୀଛାତ୍ରଙ୍କ ପାଇଁ ୧୦ ଲକ୍ଷ ଟଙ୍କାର କ୍ରେଡିଟ୍ କାର୍ଡ ବ୍ୟବସ୍ଥା କରାଯିବ। ତାହା ପୁଣି ମାତ୍ର ୪ ପ୍ରତିଶତ ସୁଧ ହାରରେ। ଏଥିରେ ସରକାର ଗ୍ୟାରେଣ୍ଟର ରହିବେ। ଅବିଭାବକଙ୍କୁ ପିଲାଙ୍କ ଉଚ୍ଚ ଶିକ୍ଷା ପାଇଁ ଆଉ ଚିନ୍ତିତ ହେବାକୁ ପଡ଼ିବ ନାହିଁ। ଏହା ରାଜନୈତିକ ମେନିଫେଷ୍ଟୋ ନୁହେଁ। ରାଜ୍ୟର ଉନ୍ନତି ଭିତ୍ତିରେ ଏହାକୁ ପ୍ରସ୍ତୁତ କରାଯାଇଛି। ମୋ ମତରେ ଇଚ୍ଛା ଥିଲେ, ବାଟ ନିଶ୍ଚେ ମିଳିବ। ଏହା ଲୋକଙ୍କ ମେନିଫେଷ୍ଟୋ, ଲୋକଙ୍କ ପାଇଁ ଓ ଲୋକଙ୍କ ଦ୍ୱାରା ବୋଲି ମମତା କହିଛନ୍ତି।