Categories: ଜାତୀୟ

ମ୍ୟାଜିକ୍‌ ଦେଖାଇଲେ ମମତା

କୋଲକାତା,୫।୬:ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମ୍ୟାଜିକ୍‌ ଭାଜପାର ସବୁ ଆକଳନକୁ ଭୁଲ୍‌ ସାବ୍ୟସ୍ତ କରିଛି। ତାଙ୍କ ଜଲଓ୍ବା ଆଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲହର ଫିକା ପଡ଼ିଯାଇଛି। ରାଜ୍ୟର ୪୨ ଲୋକ ସଭା ଆସନ ମଧ୍ୟରୁ ମମତାଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ୨୯ ଆସନ ଦଖଲ କରିଥିବାବେଳେ ଭାଜପା ୧୨ଟିରେ ସୀମିତ ରହିଯାଇଛି। ଅଧିକ ଆସନ ହାତେଇବା ଲକ୍ଷ୍ୟ ରଖିଥିବା ଗୈରିକ ଦଳକୁ ଏଠାରେ ଶକ୍ତ ଝଟକା ଲାଗିଛି। ଡାଇମଣ୍ଡ ହାର୍ବର ଆସନରୁ ଲଢ଼ୁଥିବା ଟିଏମ୍‌ସି ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ୨ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଜାତୀୟ ସ୍ତରରେ ଟିଏମ୍‌ସି ଇଣ୍ଡିଆନ ନ୍ୟାଶନାଲ ଡେଭେଲପ୍‌ମେଣ୍ଟାଲ ଇନ୍‌କ୍ଲୁସିଭ୍‌ ଆଲିଆନ୍ସ (ଇଣ୍ଡିଆ)ର ସହଯୋଗୀ ଦଳ ହୋଇଥିବାବେଳେ ପଶ୍ଚିମବଙ୍ଗରେ କଂଗ୍ରେସ ସହ ଆସନ ବୁଝାମଣା ହୋଇ ନ ପାରିବାରୁ ଏକାକୀ ନିର୍ବାଚନ ଲଢ଼ିବା ପାଇଁ ମମତା ନିଷ୍ପତ୍ତି ନେଇଥିଲେ। ନିର୍ବାଚନରେ ଇଣ୍ଡିଆ ବ୍ଲକ୍‌ ବିଜୟୀ ହୋଇ ସରକାର ଗଢ଼ିଲେ ଟିଏମ୍‌ସି ବାହାରୁ ସମର୍ଥନ ଯୋଗାଇଦେବ ବୋଲି ଏକ ନିର୍ବାଚନୀ ରାଲିରେ କହିଥିଲେ। ପଶ୍ଚିମବଙ୍ଗରେ ଭାଜପା ଧ୍ରୁବୀକରଣ ଅସ୍ତ୍ର ପ୍ରୟୋଗ ପାଇଁ ପଛାଇ ନ ଥିଲା। ବିଶେଷକରି ସନ୍ଦେଶଖାଲିରେ ମୁସଲମାନ ସମ୍ପ୍ରଦାୟ ବିରୋଧରେ ଭାଜପା ଚଳାଇଥିବା ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟିକାରୀ ରାଜନୀତିକୁ ବଙ୍ଗୀୟ ଭୋଟର ପ୍ରତ୍ୟାଖ୍ୟାନ କରିଛନ୍ତି। ସିବିଆଇ, ଇଡି ଭଳି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଗୁଡ଼ିକୁ ଲଗାଇ ଟିଏମ୍‌ସି ନେତାଙ୍କୁ ଭାଜପା ଅପଦସ୍ଥ କରୁଥିବା ନେଇ ଅଭିଯୋଗ ବଢ଼ିବାରେ ଲାଗିଥିଲା। ପ୍ରଧାନମନ୍ତ୍ରୀ ମୋଦି ଦୁଇ ଡଜନ୍‌ରୁ ଅଧିକ ଥର ପଶ୍ଚିମବଙ୍ଗ ଯାଇ ହାଇଭୋଲ୍‌ଟେଜ୍‌ ପ୍ରଚାର ଚଳାଇଥିଲେ। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଏବଂ ଅନେକ କେନ୍ଦ୍ରମନ୍ତ୍ରୀ ମଧ୍ୟ ସେଠାରେ ଡେରା ପକାଇଥିଲେ। ମଙ୍ଗଳବାର ଆସିଥିବା ଫଳାଫଳ ସେମାନଙ୍କ ସବୁ ରଣକୌଶଳକୁ ଭୁଲ୍‌ ପ୍ରମାଣିତ କରିଛି। ପଶ୍ଚିମବଙ୍ଗରେ କଂଗ୍ରେସ ଗୋଟିଏ ଆସନ ହାତେଇଛି। ଭୋଟ ହାରକୁ ଦେଖିଲେ ଟିଏମ୍‌ସି ପାଖାପାଖି ୪୬ ପ୍ରତିଶତ ଭୋଟ ପାଇଥିବାବେଳେ ଭାଜପାକୁ ୩୮.୩୬ ପ୍ରତିଶତ ଭୋଟ ମିଳିଛି।

Share