ବିଗ୍‌-ବି’ଙ୍କ ହାତରେ ରାଖୀ ବାନ୍ଧିଲେ ମମତା

ମୁମ୍ବାଇ: ଆଜି ଅର୍ଥାତ୍‌ ଅଗଷ୍ଟ ୩୦ରେ ସାରା ଦେଶରେ ରକ୍ଷାବନ୍ଧନ ଉତ୍ସବ ପାଳନ କରାଯାଉଛି। ରାଖୀ ହେଉଛି ଭଉଣୀ-ଭାଇଙ୍କ ମଧ୍ୟରେ ସ୍ନେହ, ଶ୍ରଦ୍ଧା ଏବଂ ଭଲପାଇବାର ପ୍ରତୀକ। ଏହି ଅବସରରେ ଭଉଣୀମାନେ ସମସ୍ତ ଭାଇଙ୍କୁ ରାଖୀ ବାନ୍ଧନ୍ତି ଏବଂ ସେମାନଙ୍କୁ ସବୁବେଳେ ସୁରକ୍ଷା ଦେବା ପାଇଁ ଭାଇଙ୍କଠାରୁ ପ୍ରତିଜ୍ଞା ନିଅନ୍ତି। ଦେଶର ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଲିଉଡ୍‌ରୁ ରାଜନେତାଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ଦିନଟିକୁ ବେଶ୍‌ ଉତ୍ସାହର ସହ ପାଳନ କରିଛନ୍ତି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ରାଖୀ ବାନ୍ଧିବା ପାଇଁ ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ ‘ଜଲ୍‌ସା’ଘରେ ପହଞ୍ଚିଥିଲେ।

ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର ହୋଇଛି। ଯେଉଁଥିରେ ମମତା ଅମିତାଭଙ୍କ ବଙ୍ଗଳାକୁ ତାଙ୍କ ସାଥୀଙ୍କ ସହ ଯାଇ ଦେଖା କରୁଥିବା ଦେଖିବାକୁ ମିଳିଛି। ଭିଡିଓରେ ଏକ ଗାଡ଼ିରେ ମମତା ଆଗ ସିଟ୍‌ରେ ବସିଥିବାର ନଜର ଆସିଛନ୍ତି। ଅମିତାଭ, ଜୟା ବଚ୍ଚନ ମମତାଙ୍କୁ ତାଙ୍କ ଘରକୁ ଅନେକ ଥର ନିମନ୍ତ୍ରଣ କରିଛନ୍ତି। ଏଥର ମମତା ମୁମ୍ବାଇରେ ଥିବା ବେଳେ ସେ ଅଭିନେତାଙ୍କ ନିମନ୍ତ୍ରଣ ଗ୍ରହଣ କରି ତାଙ୍କ ଘରେ ପହଞ୍ଚିଥିଲେ।

ମମତା ଘର ଭିତରକୁ ଯାଇ ବିଗ୍‌ ବି’ଙ୍କୁ ରାଖୀ ବାନ୍ଧିବା ପରେ ବାହାରକୁ ଆସୁଛନ୍ତି। ଏହା ପରେ ଗଣମାଧ୍ୟମ ବ୍ୟକ୍ତିବିଶେଷଙ୍କୁ ସମ୍ବୋଧିତ କରିବା ବେଳେ ମମତା ତାଙ୍କ ବାସଭବନରେ ଅମିତାଭଙ୍କ ସହ ସାକ୍ଷାତ ବିଷୟରେ କହିଥିଲେ। ସେ କହିଥିଲେ, ‘ମୁଁ ଆଜି ଖୁସି ଅଟେ। ମୁଁ ଭାରତର ‘ଭାରତ ରତ୍ନ’ ଅମିତାଭ ବଚ୍ଚନଙ୍କୁ ଭେଟି ରାଖୀ ବାନ୍ଧିଲି। ମୁଁ ଏହି ପରିବାରକୁ ବହୁତ ଭଲ ପାଏ। ସେମାନେ ଭାରତର ଏକ ନମ୍ବର ପରିବାର ଏବଂ ବହୁ ଅବଦାନ ଦେଇଛନ୍ତ। ମୁଁ ସେମାନଙ୍କୁ ଦୁର୍ଗା ପୂଜା ଏବଂ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଭାଗ ନେବାକୁ ମଧ୍ୟ ନିମନ୍ତ୍ରଣ କରିଛି। କହିରଖୁଛୁ, ମମତା ଅମିତାଭଙ୍କୁ ଭାରତ ରତ୍ନ ବୋଲି ଡାକନ୍ତି।

Share