Categories: ଜାତୀୟ

ବିରୋଧୀ ଦଳ ବୈଠକରେ ଯୋଗଦେବେନି ମମତା

କୋଲକାତା,୨୦।୬: ରାଷ୍ଟ୍ରପତି ନିର୍ବାଚନ ଲାଗି ରଣନୀତି ପ୍ରସ୍ତୁତି ନିମନ୍ତେ ଏନ୍‌ସିପି ଅଧ୍ୟକ୍ଷ ଶରଦ ପାଓ୍ବାର ଜୁନ୍‌ ୨୧ରେ ଡାକିଥିବା ମିଳିତ ବିରୋଧୀ ଦଳ ବୈଠକରେ ତୃଣମୂଳ କଂଗ୍ରେସ ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗଦେଇ ନ ପାରନ୍ତି। ତାଙ୍କର ଅନ୍ୟ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ପୂର୍ବରୁ କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଥିବା ଟିଏମ୍‌ସି କାର୍ଯ୍ୟକର୍ତ୍ତା ରବିବାର ସୂଚନା ଦେଇଛନ୍ତି। ତେଣୁ ମିଳିତ ବିରୋଧୀ ଦଳ ବୈଠକରେ ମମତାଙ୍କ ସ୍ଥାନରେ ତାଙ୍କ ଦଳର ଜଣେ ବରିଷ୍ଠ ନେତା ଯୋଗଦେବେ। ଏ ସମ୍ପର୍କରେ ସେ ପାଓ୍ବାରଙ୍କୁ ଜଣାଇଦେଇଛନ୍ତି।
ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ଦଳ ମିଳିତ ପ୍ରାର୍ଥୀ ଦେବା ଲାଗି ଗତ ୧୫ ତାରିଖ ବୈଠକରେ ସ୍ଥିର ହୋଇଥିଲା। ମମତା ଏହି ବୈଠକ ଡାକିଥିବାବେଳେ କଂଗ୍ରେସ, ଏନ୍‌ସିପି, ସମାଜବାଦୀ ପାର୍ଟି, ଡିଏମ୍‌କେ, ଆର୍‌ଜେଡି, ବାମଦଳ, ଶିବସେନା, ନ୍ୟାଶନାଲ କନ୍‌ଫରେନ୍ସ, ପିଡିପି, ଜେଡିଏସ୍‌, ଆର୍‌ଏସ୍‌ପି ପ୍ରମୁଖ ୧୭ଟି ବିରୋଧୀ ଦଳର ନେତା ଯୋଗ ଦେଇଥିଲେ। ଅନ୍ୟ ୫ ଦଳ ବୈଠକରେ ଅନୁପସ୍ଥିତ ଥିଲେ। ଯୋଗ ଦେଇ ନ ଥିବା ଦଳଗୁଡ଼ିକ ହେଲେ ବିଜେଡି, ଏଏପି, ଏସ୍‌ଏଡି, ଏଆଇଏମ୍‌ଆଇଏମ୍‌ ଏବଂ ଟିଆର୍‌ଏସ୍‌।

Share