Categories: ଜାତୀୟ

‘ମମତା କହିବେ ଜୟ ଶ୍ରୀରାମ’

କୁଚବିହାର,୧୨ା୨:ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜଣେ ବିଫଳ ପ୍ରଶାସିକା। ଆସନ୍ତା ବିଧାନସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ ଓ ମମତାଙ୍କ ବିନାଶ ମଡେଲ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି ଗୁରୁବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ତାଚ୍ଛଲ୍ୟ କରିଛନ୍ତି।
କୁଚ୍‌ବିହାରରେ ଏକ ସଭାକୁ ସମ୍ବୋଧିତ କରି ଶାହା କହିଛନ୍ତି, ମେ’ ପରେ ମମତା ମୁଖ୍ୟମନ୍ତ୍ରୀ ଚୌକିରେ ନ ଥିବେ। ସେତେବେଳେ ସେ ମଧ୍ୟ ‘ଜୟ ଶ୍ରୀରାମ’ ସ୍ଲୋଗାନ ଦେଉଥିବେ। ଭାଜପାର ପରିବର୍ତ୍ତନ ଯାତ୍ରା ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ କିମ୍ବା ବିଧାୟକଙ୍କୁ ବଦଳାଇବା ଲାଗି ନୁହେଁ, ବରଂ ଅନୁପ୍ରବେଶ ବନ୍ଦ କରି ପଶ୍ଚିମବଙ୍ଗର ସ୍ଥିତିରେ ପରିବର୍ତ୍ତନ ଆଣିବା ପାଇଁ ଉଦ୍ଦିଷ୍ଟ। ଏହି ଯାତ୍ରା ‘ବୁଆ-ଭତିଜା’ ଯୋଡ଼ିଙ୍କ ଦୁର୍ନୀତିକୁ ଶେଷ କରିଦେବ।
ବିଧାନସଭାର ୨୯୪ ଆସନ ମଧ୍ୟରୁ ଭାଜପା ୨୦୦ରୁ ଊର୍ଦ୍ଧ୍ୱ ଦଖଲ କରିବ ବୋଲି ଶାହା ଦୃଢ଼ୋକ୍ତି ବାଢ଼ିଛନ୍ତି। ଏହି ଅବସରରେ ଶାହା ଭାଜପା କର୍ମୀମାନଙ୍କ ହତ୍ୟା ପ୍ରସଙ୍ଗ ଉଠାଇଛନ୍ତି। ମମତା ବାନାର୍ଜୀ ସରକାର ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି କରିଛନ୍ତି। କିନ୍ତୁ ଶାସକ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ଗୁଣ୍ଡାମାନଙ୍କୁ ଜେଲ୍‌କୁ ପଠାଇଦେବ। ମୋଦି ସରକାରଙ୍କ ସହ ସବୁବେଳେ ଝଗଡ଼ା କରି ମମତା ପଶ୍ଚିମବଙ୍ଗର ଲୋକଙ୍କୁ ଅନେକ କେନ୍ଦ୍ରୀୟ ଯୋଜନାର ସୁବିଧାରୁ ବଞ୍ଚତ୍ତ କରିଛନ୍ତି। ତେଣୁ ରାଜ୍ୟବାସୀ ଭାଜପା ସରକାର ଆଣିବାକୁ ନିଷ୍ପତ୍ତି ନେଇସାରିଛନ୍ତି। ରାଜ୍ୟରେ ଭାଜପା କ୍ଷମତାସୀନ ହେବା ମାତ୍ରେ ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧୨,୦୦୦ ଟଙ୍କା ଲେଖାଏ ପଠାଇବା ପାଇଁ ପ୍ରଥମ କ୍ୟାବିନେଟରେ ନିଷ୍ପତ୍ତି ନିଆଯିବ। ପିଏମ୍‌ କିଷାନ ଯୋଜନାରେ ପଶ୍ଚିମବଙ୍ଗକୁ ସାମିଲ କରିବାକୁ ମନା କରିଥିବାରୁ ଚାଷୀମାନେ ଏହି ସୁବିଧାରୁ ବଞ୍ଚତ୍ତ ହୋଇଛନ୍ତି। ଏହି ଅବସରରେ ଶାହା କୁଚବିହାରର ରାଜବଂଶୀ ସମୁଦାୟକୁ ଭେଟିଛନ୍ତି। ପଶ୍ଚିମବଙ୍ଗର ଉତ୍ତର ଭାଗରେ ଥିବା ୫୬ ନିର୍ବାଚନମଣ୍ଡଳୀରେ ଏହି ଜାତିର ଭୋଟରଙ୍କ ପ୍ରଭାବ ରହିଛି।

Share